ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଗାଡ଼ିକୁ ବିଚ୍‌ ରାସ୍ତାରେ ଅଟକାଇ ଆକ୍ରମଣ କଲେ ଶତାଧିକ ସଶସ୍ତ୍ର ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ଅପରାହ୍ନରେ ଏକ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ଯାଉଥିବା ବେଳେ ପ୍ରାୟ ଶତାଧିକ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ସଜ୍ଜିତ ହୋଇ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିବା ଘଟଣାକୁ କେନ୍ଦ୍ର କରି ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୌଣସି ଅଧିକାରୀ ଆହତ ହୋଇ ନଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତର ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ବାଟରେ ପ୍ରାୟ ଶତାଧିକ ଯୁୁବକ ହାତରେ ଲାଠି ଓ ଅନ୍ୟ ମାରଣାସ୍ତ୍ର ଧରି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଗାଡ଼ିକୁ ମଝି ବାଟରେ ଅଟକାଇବା ସହ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ସେମାନେ ଗାଡ଼ିର କାଚ ଭାଙ୍ଗି ଦେବା ସହ ଗାଡ଼ି ଭିତରୁ କେଜ୍ରିଓ୍ଵାଲଙ୍କୁ ଘୋଷାଡ଼ି ଆଣିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ର ହସ୍ତକ୍ଷେପ ଫଳରେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଏହି ଘଟଣାରେ ଦିଲ୍ଲୀ ପୁଲିସ୍‌ କାହାକୁ ଗିରଫ କରିବାରେ ସମର୍ଥ ହୋଇ ନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର