‘ମହାଦୋଷ’ ଥିବା କହି ନିରୁଦ୍ଦେଶ ମହିଳାଙ୍କୁ ଖୋଜି ବାହାର କରିବାକୁ ମନା କଲେ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଜ୍ୟୋତିଷି ଶାସ୍ତ୍ର ଅନୁସାରେ ‘ମହାଦୋଷ’ ଥିବାରୁ ୨୦୧୮ ସେପ୍ଟେମ୍ବରରୁ ନିରୁଦ୍ଦେଶ ହୋଇ ଯାଇଥିବା ଏୟାର୍‌ ଇଣ୍ଡିଆ କର୍ମଚାରୀ ୫୮ ବର୍ଷୀୟ ସୁଲକ୍ଷଣା ନରୁଲାଙ୍କ ମାମଲା ତଦନ୍ତ ହୋଇ ପାରିବ ନାହିଁ ବୋଲି ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ୍‌ର ଜଣେ ପୁଲିସ କହିଛନ୍ତି।

ନିରୁଦ୍ଦେଶ ମାମଲାର ତଦନ୍ତ ଭାର ଗତବର୍ଷ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ୍‌କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ମହିଳାଙ୍କର ‘ମହାଦୋଷ’ ଦଶା କଟି ନ ଥିବାରୁ ତାଙ୍କୁ ଠାବ କରାଯାଇ ପାରିନାହିଁ ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ କହିଛି।

ଦିଲ୍ଲୀ ସିବିଆଇ ଅଧିକାରୀ ବିଜୟ ସମରିଆଙ୍କ ବ୍ୟକ୍ତିଗତ ଜ୍ୟୋତିଷି କହିଛନ୍ତି ଯେ ପୁଲିସବାବୁଙ୍କ ଉପରେ ଥିବା ମହାଦୋଷ ଏପ୍ରିଲ୍‌ ୧୯ରେ କଟୁଛି। ସେ ଯାଏଁ ସମରିଆ ଉକ୍ତ ମାମଲାର ତଦନ୍ତ କରିବେ ନାହିଁ।

ସେଇ ଏପ୍ରିଲ୍‌ ୧୯ ତାରିଖରେ ମଧ୍ୟ ସୁଲକ୍ଷଣାଙ୍କ ଉପରୁ ମହାଦୋଷ କଟୁଛି ବୋଲି ସମରିଆ ନରୁଲାଙ୍କ ପରିବାର ଲୋକଙ୍କୁ କହିଛନ୍ତି।
ସୁଲକ୍ଷଣାଙ୍କ ପୁଅ ଅନୁଭବଙ୍କୁ କହି ସମରିଆ କୌଣସିମତେ ସୁଲକ୍ଷଣାଙ୍କର ଜାତକ ନେଇ ଆସି ତାକୁ ନିଜ ଜାତକ ସହ ତାଙ୍କ ଜ୍ୟେତିଷିଙ୍କୁ ଦେଖାଇଥିଲେ। ଜ୍ୟୋତିଷି କହିଥିଲେ ସୁଲକ୍ଷଣାଙ୍କ ଜାତକରେ ‘ମହାଦୋଷ’ ଲେଖାଅଛି।

୨୦ ତାରିଖ ପରେ ସୁଲକ୍ଷଣା ମିଳିଯିବେ ବୋଲି ପୁଲିସ କର୍ମଚାରୀଜଣ ଦୃଢ଼ ଆଶା ପୋଷଣ କରିଛନ୍ତି।

ସୁଲକ୍ଷଣାଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କ ଜ୍ୟୋତିଷିଙ୍କ ପରାମର୍ଶ କରିଥିଲେ। ତାଙ୍କର ବିଶ୍ୱାସ ସେ ହରିଦ୍ୱାର, ମଥୁରା କିଂବା ବୃନ୍ଦାବନରେ ମିଳିଯିବେ। ଛତ୍ରପୁରସ୍ଥିତ ବଗଳାମୁଖୀ ମନ୍ଦିରରେ ଦର୍ଶନ କରିବାକୁ ସମରିଆ ଅନୁଭବଙ୍କୁ କହିଥିଲେ। ତଦନ୍ତକାରୀ ଅଧିକାରୀ ବିଜୟ ସମରିଆ ନିଜେ ମଧ୍ୟ ଦୁଇ ଦୁଇ ଥର ଉପରୋକ୍ତ ତିନି ସ୍ଥାନ ପରିଦର୍ଶ କରି ସୁଲକ୍ଷଣାଙ୍କୁ ପାଇବାରେ ଅସମର୍ଥ ହୋଇଛନ୍ତି ବୋଲି ଏସିପି ଜସ୍‌ବୀର ସିଂହ କହିଛନ୍ତି।

୫୮ ବର୍ଷୀୟ ସୁଲକ୍ଷଣା ନିରୁଦ୍ଦେଶ ହେବାର ତିନି ଦିନ ପରେ ଏଫ୍‌ଆଇଆର୍‌ ଦିଆଯାଇଥିଲା, କିନ୍ତୁ କିଛି ଫଳ ନ ହେବାରୁ ମାମଲା କ୍ରାଇମ୍‌ ବ୍ରାଞ୍ଚ୍‌ ହାତକୁ ଦିଆଗଲା।

ଜସବୀର ସିଂହ କହିଛନ୍ତି, ଆମେ ବିଜ୍ଞାନସମ୍ମତ ତଦନ୍ତରେ ବିଶ୍ୱାସ କରୁ। କିନ୍ତୁ ଜଣେ ପୁଲିସ ଇନ୍‌ସ୍‌ପେକ୍ଟର୍‌ ଯଦି ପୀଡ଼ିତାଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ସମର୍ଥନ କରିବେ, ତାହା ତଦନ୍ତରେ ବାଧା ସୃଷ୍ଟି କରିବ। ମୁଁ କୌଣସି ଜାତକ ଏବଂ ମହାଦୋଷ ବିଷୟରେ ଜାଣେନା।

ସମ୍ବନ୍ଧିତ ଖବର