ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଡାକରା ଯୋଗୁଁ ଗୁରୁଗ୍ରାମ ସୀମା ଓ ୧୪ ମେଟ୍ରୋ ଷ୍ଟେସନ୍‌ ବନ୍ଦ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ନୂତନ ନାଗରିକତା ଆଇନ ବିରୋଧରେ କେତେକ ସଙ୍ଗଠନ ପ୍ରତିବାଦ ଡାକରା ଦେଇଥିବାରୁ ଦିଲ୍ଲୀ ପୁଲିସ ସହରରେ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିଛି ଓ ଗୁରୁଗ୍ରାମ ସୀମା ବନ୍ଦ ରଖିଛି। ଆଜି ବାମପନ୍ଥୀ ଦଳଙ୍କ ସହ ଅନ୍ୟ କେତେକ ସଙ୍ଗଠନ ଲାଲ୍‌ କିଲା ଠାରୁ କେନ୍ଦ୍ରୀୟ ଦିଲ୍ଲୀର ସହିଦ ପାର୍କ ଯାଏଁ ପଟୁଆରରେ ବାହାରିବେ।

ସହରରେ ଏଭଳି କାର୍ଯ୍ୟକ୍ରମ ଲାଗି ଅନୁମତି ଦେଇ ନ ଥିବା କଥା ପୁଲିସ କହିଛି। ଲାଲ୍‌ କିଲା ମଧ୍ୟରେ ଓ ବାହାରେ ୧୪୪ ଧାରା ଜାରି କରାଯାଇଛି। ୧୪ଟି ମେଟ୍ରୋ ଷ୍ଟେସନ୍‌କୁ ବନ୍ଦ ରଖାଯାଇଛି।

ଜାମିଆ ମିଲିଆ ଇସ୍‌ଲାମିଆ, ଜସୋଲା ବିହାର-ଶହୀନ୍‌ ବାଗ୍‌, ମୁନିର୍କା, ଲାଲ୍‌ କିଲା, ଜାମା ମସ୍‌ଜିଦ୍‌, ଚାନ୍ଦ୍‌ନୀ ଚୌକ୍‌, ବିଶ୍ୱବିଦ୍ୟାଳୟ, ପଟେଲ୍‌ ଚୌକ୍‌, ଲୋକ କଲ୍ୟାଣ ମାର୍ଗ, ଉଦ୍ୟୋଗ ଭବନ, ଆଇଟିଓ, ପ୍ରଗତି ମୈଦାନ ଏବଂ ଖାଁ ମାର୍କେଟ ମେଟ୍ରୋ ଷ୍ଟେସନ୍‌ର ପ୍ରବେଶ ଓ ପ୍ରସ୍ଥାନ ଫାଟକ ବନ୍ଦ ରହିଥିବା କଥା ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଟୁଇଟ୍‌ କରି କହିଛି।

Image Courtesy of Hindustan Times

ନୂତନ ନାଗରିକତା ଆଇନ ଏବଂ ଜାତୀୟ ନାଗରିକ ରେଜିଷ୍ଟର୍‌ ବିରୋଧରେ ପ୍ରତିବାଦ ଜଣାଇବାକୁ ରାଜନୈତିକ ଦଳ ଓ ସଂଗଠନ ସବୁ ଗୁରୁବାର ଦିନ ଏକତ୍ର ହୋଇଛନ୍ତି। ସରକାରଙ୍କ ଅସମ୍ବିଧାନିକ ପଦକ୍ଷେପ ବିରୋଧରେ ପ୍ରତିବାଦ କରିବାକୁ ସମସ୍ତ କର୍ମୀଙ୍କୁ ସକ୍ରିୟ କରିବାକୁ ସବୁ ଜିଲ୍ଲା କମିଟିକୁ ଏକ ବିବୃତିରେ ସିପିଆଇ (ଏମ୍‌)ର ସାଧାରଣ ସଚିବ ସୀତାରାମ ୟେଚୁରୀ ବୁଧବାର ଦିନ କହିଥିଲେ।

ନାଗରିକତା ଆଇନ ବିରୋଧରେ ଦିଲ୍ଲୀରେ ଦୁଇଥର ପ୍ରତିବାଦ ଓ ଗୋଳମାଳ ହୋଇ ସାରିଲାଣି। ପ୍ରଥମ ପ୍ରତିବାଦ ଆରମ୍ଭ ହୋଇଥିଲା ଜାମିଆ ମିଲିଆ ଇସ୍‌ଲାମିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା। ଉଗ୍ର ପ୍ରତିବାଦକାରୀମାନେ ୬ଟି ଗାଡ଼ି ପୋଡ଼ି ପକାଇଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ପଶି ପୁଲିସ ୫୦ ଜଣ ଛାତ୍ରଙ୍କୁ ଧରି ନେଇ ଅଟକ ରଖିଥିଲା।

ଦ୍ୱିତୀୟ ପ୍ରତିବାଦ ହୋଇଥିଲା ଉତ୍ତରପୂର୍ବ ଦିଲ୍ଲୀର ସିଲମ୍‌ପୁର ଠାରେ। ଏଥିରେ ବିକ୍ଷୋଭକାରୀମାନେ କେତୋଟି ଗାଡ଼ି ପୋଡ଼ି ପକାଇଥିଲେ।
ଏହି ଘଟଣା ପର ଠାରୁ ପୁଲିସ ଅନ୍ୟ ସମସ୍ତ ଜିଲ୍ଲାରେ ଫୁଟ୍‌ ପାଟ୍ରୋଲିଙ୍ଗ୍‌ କରୁଛି। ବିଭିନ୍ନ ସ୍ଥାନରେ ଶାନ୍ତି କମିଟିର ବୈଠକ ବସୁଛି। କେତେକ ସ୍ପର୍ଶକାତର ଅଞ୍ଚଳରେ ଦିଲ୍ଲୀ ପୁଲିସ ଫ୍ଲାଗ୍‌ ମାର୍ଚ କରୁଛି।

ସମ୍ବନ୍ଧିତ ଖବର