ଦିଲ୍ଲୀରେ ବଢ଼ିଚାଲିଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୧୪୦୭ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଡରାଇଲାଣି କରୋନା। ଦେଶର ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି। କିଛି ଦିନ ହେଲାଣି ସଂକ୍ରମଣ ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦୁଇଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ବୃଦ୍ଧି ସହ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୪.୭୨ ପ୍ରତିଶତ ରହିଛି। ନୂତନ ଆକ୍ରାନ୍ତଙ୍କ ସହ ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫,୯୫୫ରେ ପହଞ୍ଚିଛି।

ଦିଲ୍ଲୀରେ ୪,୩୬୫ ରୋଗୀ ଘରେ ଆଇସୋଲେସନରେ ଥିବାବେଳେ ୧୮୩ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହା ସହ ୧୫୪୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିଭଳି ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩, ୮୦୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୨ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩, ୮୦୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୯୮,୭୪୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୨ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୦୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୩୧୬୮ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୫୪,୪୧୬। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୦୩୦୩।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୦,୦୦,୯୪,୯୮୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୪,୦୩,୩୨,୪୬୯ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୪,୮୭,୫୪୪ଟି ନମୁନା।

ସମ୍ବନ୍ଧିତ ଖବର