୨୦୧୯ ଜାମିଆ ହିଂସା ମାମଲା: ଶର୍‌ଜୀଲ୍‌ ଇମାମ୍‌ ଓ ଆସିଫ୍‌ ତନ୍‌ହାଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ୨୦୧୯ ଡିସେମ୍ବର ଜାମିଆ ହିଂସା ମାମଲାରେ ଦିଲ୍ଲୀର ଏକ ଅଦାଲତ ଆଜି ଜବାହର୍‌ଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ର ଶର୍‌ଜୀଲ୍‌ ଇମାମ୍‌ ଓ ଛାତ୍ର ସମାଜସେବୀ ଆସିଫ୍‌ ଇକ୍‌ବାଲ୍‌ ତନ୍‌ହାଙ୍କୁ ଦୋଷମୁକ୍ତ କରିଛନ୍ତି।

କିନ୍ତୁ, ୨୦୨୦ରେ ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗା ସହିତ ସମ୍ପୃକ୍ତ ଥିବା ଷଡ଼ଯନ୍ତ୍ର ମାମଲାରେ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ’ ଅନୁଯାୟୀ ତଦନ୍ତର ସମ୍ମୁଖୀନ ହୋଇଥିବାରୁ ସେ ଏବେ ଜେଲ୍‌ରେ ରହିବେ।

ସେମାନଙ୍କୁ ଦୋଷମୁକ୍ତ କରାଯିବା ଆଦେଶ ସାକେତ କୋର୍ଟର ଅତିରିକ୍ତ ସେସନ୍‌ ଜଜ୍‌ ଅରୁଲ୍‌ ବର୍ମା ଘୋ‌ଷଣା କରିଛନ୍ତି। ମାମଲାର ଶୁଣାଣି ବେଳେ ସାକେତ ଅଦାଲତ ଇମାମ୍‌ଙ୍କ ଓକିଲଙ୍କ ଯୁକ୍ତି ଗ୍ରହଣ କରିଥିଲେ। ତାଙ୍କ ଓକିଲ କହିଥିଲେ ଯେ, ହିଂସା ନୁହେଁ, କେବଳ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସପକ୍ଷରେ ସେ ପ୍ରଚାର କରିଥିଲେ।

Image Courtesy of NDTV

ସ୍ମରଣଯୋଗ୍ୟ, ‘ଆଇପିସି’ ଧାରା ୧୨୪ଏ, ୧୫୩ଏ, ୧୫୩ବି, ୫୦୫ ଏବଂ ‘ୟୁଏପିଏ’ର ଧାରା ୧୩ ଅନୁଯାୟୀ ଇମାମ୍‌ଙ୍କ ବିରୋଧରେ ଅଭିଯୋଗ ଦାଏର କରିବା ଲାଗି ଗତବର୍ଷ ଟ୍ରାଏଲ୍‌ କୋର୍ଟ ଆଦେଶ ଦେଇଥିଲେ।

୨୦୧୯ରେ ହିଂସାର ସୂତ୍ରପାତ କରିଥିବା ‘ସିଟିଜେନ୍‌ସିପ୍ ଆମେଣ୍ଡମେଣ୍ଟ୍‌ ଆକ୍ଟ୍‌’ (ସିଏଏ) ଏବଂ ‘ନ୍ୟାସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସ୍‌’ (ଏନ୍‌ଆର୍‌ସି)  ବିରୋଧରେ ପ୍ରତିବାଦ ସମୟରେ ଇମାମ୍‌ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ଇମାମ୍‌ ୨୦୧୯, ଡିସେମ୍ବର ୧୩ରେ ‘ଜାମିଆ ମିଲିଆ ଇସ୍‌ଲାମିଆ’ ଏବଂ ୨୦୧୯ ଡିସେମ୍ବର ୧୬ରେ ‘ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭର୍ସିଟି’ରେ ଭାଷଣ ଦେବା ବେଳେ ଭାରତରୁ ଆସାମ ଓ ଉତ୍ତରପୂର୍ବର ବାକି ଅଂଶ ବିଚ୍ଛିନ୍ନ କିରିଦେବେ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର