ଉତ୍ତେଜକ ଭାଷଣ ମାମଲା : ସର୍ଜିଲ ଇମାମର ଜାମିନ ନାମଞ୍ଜୁର କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ : ୨୦୧୯ ଡିସେମ୍ବରରେ ଦିଲ୍ଲୀର ଜାମିଆ ନଗରରେ ହୋଇଥିବା ହିଂସା ବେଳେ ଉତ୍ତେଜକ ଭାଷଣ ଦେଇଥିବା ସର୍ଜିଲ ଇମାମର ଜାମିନ ଆବେଦନକୁ ଦିଲ୍ଲୀର ଏକ କୋର୍ଟ ନାମଞ୍ଜୁର କରିଦେଇଛନ୍ତି ।

ଅତିରିକ୍ତ ସେସନ୍ସ ଜଜ୍ ଅନୁଜ ଅଗ୍ରଓ୍ବାଲ ନିଜ ରାୟରେ କହିଛନ୍ତି ଯେ ସର୍ଜିଲର ଭାଷଣ ସାମାଜିକ ଶାନ୍ତି ସୌହାର୍ଦ୍ଦ ଭଙ୍ଗ କରିଥିଲା । ଡିସେମ୍ବର ୧୩, ୨୦୧୯ରେ ଦିଆଯାଇଥିବା ଭାଷଣକୁ ପଢିଲେ ଜଣାପଡ଼ୁଛି ଯେ ତାହା ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା ।

ଏହି ଭାଷଣର ଦୁଇଦିନ ପରେ ଅର୍ଥାତ ଡିସେମ୍ବର ୧୫ରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିଆ ନଗରରେ ଏକ ହିଂସାତ୍ମକ ବିକ୍ଷୋଭ ହୋଇଥିଲା । ପ୍ରାୟ ୩ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇ ପୁଲିସ ଉପରେ ଆକ୍ରମଣ କରିବା ସହ ରାସ୍ତାରେ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗେଇ ଦେଇଥିଲେ ।

ସର୍ଜିଲର ଉତ୍ତେଜକ ଭାଷଣ ଦ୍ବାରା ଏହି ଆନ୍ଦୋଳନ ହିଂସାତ୍ମକ ହୋଇଥିଲା ବୋଲି ପୁଲିସ ନିଜ ଚାର୍ଜସିଟରେ ଦାବି କରିଛି । କିନ୍ତୁ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ କେବଳ ଏହି ଭାଷଣ ଦ୍ବାରା ଯେ ଲୋକମାନେ ଉତ୍ତେଜିତ ହୋଇଥିଲେ ସେ ନେଇ କୌଣସି ପ୍ରମାଣ ଦାଖଲ କରାଯାଇନାହିଁ ।

ସମ୍ବନ୍ଧିତ ଖବର