ଆହୁରି ୪ଦିନ ବଢ଼ିଲା ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ୍‌ କୁମାର ଓ ତାଙ୍କ ସହଯୋଗୀଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଛତ୍ରଶାଳ ଷ୍ଟାଡିୟମ୍‌ ବିବାଦ ଯୋଗୁଁ ସାଗର ରାଣା ନାମକ ଜଣେ କୁସ୍ତି ଖେଳାଳିଙ୍କର ମୃତ୍ୟୁ ଘଟଣାରେ ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ୍‌ କୁମାରଙ୍କୁ ମେ’ ୨୩ ସକାଳେ ଦିଲ୍ଲୀରୁ ଗିରଫ କରାଯାଇଥିଲା। ସାଗର ରାଣା ହତ୍ୟାକାଣ୍ଡ ସମୟରୁ ସର୍ବଦା ସୁଶୀଲ୍‌ଙ୍କ ସାଥିରେ ରହୁଥିବା ଅଜୟ କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା |

ଗିରଫ ପରେ ଦୁହିଁଙ୍କୁ ୬ଦିନ ପାଇଁ ପୁଲିସ ରିମାଣ୍ଡରେ ନେଇଥିବା ବେଳେ ଆଜି ପୁଣି ସେମାନଙ୍କ ରିମାଣ୍ଡ ଅବଧି ବଢ଼ାଇଛନ୍ତି ରୋହିଣୀ କୋର୍ଟ | ୭ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଦିଲ୍ଲୀ ପୁଲିସ ଆବେଦନ କରିଥିବା ବେଳେ ରୋହିଣୀ କୋର୍ଟ ୪ଦିନ ପାଇଁ ଅନୁମତି ଦେଇଛନ୍ତି | ପୂର୍ବରୁ ଦିଲ୍ଲୀ ପୁଲିସ କୁସ୍ତି ଖେଳାଳି ଏବଂ ତାଙ୍କ ସହଯୋଗୀଙ୍କୁ ୧୨ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ବେଳେ ରୋହିଣୀ କୋର୍ଟ ସେମାନଙ୍କୁ ୬ଦିନ ପାଇଁ ଅନୁମତି ଦେଇଥିଲେ |

ତେବେ ୪ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେବା ସହ ପ୍ରତି ୨୪ ଘଣ୍ଟାରେ ଥରେ ସୁଶୀଲ କୁମାରଙ୍କ ଡାକ୍ତରୀ ପରୀକ୍ଷା କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ୪ଦିନିଆ ରିମାଣ୍ଡରେ ସୁଶୀଲ କୁମାରଙ୍କ ଓକିଲ ତାଙ୍କୁ ପୁଲିସ ହେପାଜତରେ ଭେଟି ପାରିବେ।

indiatoday.in

ଉଲ୍ଲେଖଯୋଗ୍ୟ, ମେ ୪ ତାରିଖ ରାତିରେ ଦିଲ୍ଲୀର ଉତ୍ତରାଞ୍ଚଳରେ ଅବସ୍ଥିତ ଛତ୍ରଶାଳ ଷ୍ଟାଡିୟମ୍‌ ଭିତରେ ସୁଶୀଲ୍‌ କୁମାରଙ୍କ ସମେତ ଅନ୍ୟ ମଲ୍ଲବୀରମାନେ (କୁସ୍ତି ଖେଳାଳି) ନିର୍ମମ ଆକ୍ରମଣ କରିବାରୁ ୨୩ ବର୍ଷିୟ ସାଗର ରାଣାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ଦୁଇଜଣ ବନ୍ଧୁ ଆହତ ହୋଇଥିଲେ। ପୁଲିସ କହିବା ଅନୁସାରେ, ପାର୍କିଙ୍ଗ୍ ଏରିଆରେ ସୁଶୀଲ୍ କୁମାର, ଅଜୟ କୁମାର, ପ୍ରିନ୍‌ସ୍‌, ସୋନୁ, ସାଗର ରାଣା, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ପୁଲିସ ମଡେଲ୍‌ ଟାଉନ୍ ଥାନାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଉକ୍ତ ମାମଲା‌ର ‘ଏଫ୍‌ଆଇଆର୍‌’ରେ ନାମ ଉଲ୍ଲେଖ ଥିବା ସୁଶୀଲ୍‌ କୁମାର କିନ୍ତୁ, ସଂଘର୍ଷ ପରେ ପରେ ଫେରାର ହୋଇ ଯାଇଥିଲେ। ଦୁଇଥର ଅଲିମ୍ପିକ୍ ପଦକ ଜିଣିଥିବା ସୁଶୀଲ୍‌ କୁମାରଙ୍କ ସନ୍ଧାନ ‌ପାଇବା ଲାଗି ଦିଲ୍ଲୀ ପୁଲିସ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ତାଙ୍କର ବନ୍ଧୁ ଅଜୟ କୁମାରଙ୍କ ସନ୍ଧାନ ପାଇବା ଲାଗି ମଧ୍ୟ ପୁଲିସ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର