କିପରି ଲିକ୍ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଜେଲ ଭିଡିଓ ? ଇଡିକୁ ଜବାବ ମାଗିଲେ କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାହା ଏକ ବଡ଼ ରାଜନୈତିକ ବିବାଦରେ ପରିଣତ ହୋଇଛି ।

କିନ୍ତୁ କିପରି ଏହି ଭିଡିଓ ଲିକ୍ କଲା ତାହାକୁ ନେଇ ଦିଲ୍ଲୀର ରସ୍ ଆଭେନ୍ୟୁ କୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି)କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହି ଭିଡିଓକୁ ଲିକ୍ କରି ଇଡି କୋର୍ଟରେ ଦେଇଥିବା ପ୍ରତିଶ୍ରୁତିର ଉଲ୍ଲଙ୍ଘନ କରିଛି ବୋଲି ଜୈନଙ୍କ ଓକିଲ କୋର୍ଟରେ ଅଭିଯୋଗ କରିବା ପରେ କୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି ।

ସ୍ବତନ୍ତ୍ର ଜଜ୍ ବିକାଶ ଧୁଲ ଏହି ନୋଟିସ ଜାରି କରିବା ସହ ଆସନ୍ତା ନଭେମ୍ବର ୨୧ରେ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଏହା ପୂର୍ବରୁ ବିଜେପି ପକ୍ଷରୁ ଏକ ଭିଡିଓ ଜାରି କରି କେଜ୍ରିଓ୍ବାଲ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା । କିନ୍ତୁ ତିହାର ଜେଲ କର୍ତ୍ତୃପକ୍ଷ କହିଥିଲେ ଯେ ତାହା ଏକ ପୁରୁଣା ଭିଡିଓ ଥିଲା ଓ ସଂପକ୍ତ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଅନ୍ୟପକ୍ଷରେ ଏହାର ଜବାବରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଥିଲେ ଯେ ସତ୍ୟେନ୍ଦ୍ରଙ୍କୁ ଫିଜିଓଥେରାପି ନେବାକୁ ଡାକ୍ତର କହିଛନ୍ତି । ଏଣୁ ତାଙ୍କୁ ଫିଜିଓ ଥେରାପି ଦିଆଯାଉଛି ।

 

 

ସମ୍ବନ୍ଧିତ ଖବର