ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୋମବାର କୋର୍ଟ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରୀ ପରାମର୍ଶ ପାଇଁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରିଥିଲେ, ଯାହାକୁ ଖାରଜ କରାଯାଇଛି। ଏହି ଆବେଦନରେ କେଜ୍ରିୱାଲ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ମଧୁମେହ ସ୍ତର ମାପିବା ଏବଂ ମଧୁମେହ ସମ୍ବନ୍ଧୀୟ ସୂଚନା ଦେବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରତିଦିନ ୧୫ ମିନିଟ ଡାକ୍ତରଙ୍କ ପରାମର୍ଶ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଏବେ ତାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ |
ତେବେ କେଜ୍ରିୱାଲଙ୍କ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲ ଏପ୍ରିଲ ୧ରୁ ତିହାର ଜେଲରେ ଅଛନ୍ତି | ଆସନ୍ତାକାଲି ତାଙ୍କର ନ୍ୟାୟିକ ହେପାଜତ ଅବଧି ଶେଷ ହେଉଥିବା ବେଳେ ଏହି ଅବଧି ବଢିବ ନ ତାଙ୍କୁ ଜାମିନ ମିଳିବ ତାହା ସ୍ପଷ୍ଟ ହେବ |
ଏହା ପୂର୍ବରୁ ଜେଲ ପ୍ରଶାସନ ଉପରେ ଅନେକ ଆରୋପ ଲଗାଇ କେଜ୍ରିୱାଲ୍ କହିଥିଲେ ଯେ, ତିହାର ଜେଲ ପ୍ରଶାସନ ମିଛ କହୁଛି | ମୋତେ ଇନ୍ସୁଲିନ ଦିଆଯାଉନାହିଁ | ମୁଁ ଖବରକାଗଜରେ ତିହାର ଜେଲ ପ୍ରଶାସନର ବିବୃତ୍ତି ପଢିଛି। ଏହାକୁ ପଢିବା ପରେ ମୋତେ ଶକ୍ତ ଧକ୍କା ଲାଗିଛି | କାରଣ ଜେଲ ପ୍ରଶାସନ ମୋତେ ନେଇ ଯେଉଁ ବିବୃତ୍ତି ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ | ଦେହରେ ରକ୍ତ ଶର୍କରା ସ୍ତର ଅଧିକ ରହୁଥିବାରୁ ମୁଁ ଇନ୍ସୁଲିନ ଦେବାକୁ କେବେଠୁ ଅନୁରୋଧ କରିଆସୁଛି | ହେଲେ ଜେଲ ପ୍ରଶାସନ ଇନ୍ସୁଲିନ ନଦେଇ ବି ସବୁ ସୁବିଧା ଦିଆଯାଉଥିବା ନେଇ ଦାବି କରୁଛି |