ନୂଆଦିଲ୍ଲୀ: ୨ଦିନ ତଳେ ହୋଇଥିବା ସିବିଆଇ ଅଧିକାରୀଙ୍କ ମୃତ୍ୟୁକୁ ନିଜ ମାମଲା ସହ ଯୋଡି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବଡ ଦାବି କରିଛନ୍ତି। ସୋମବାର ମନୀଷ ସିସୋଦିଆ କହିଛନ୍ତି ଯେ ମୋତେ ଗିରଫ କରିବାକୁ ଚାପ ପକାଯିବାରୁ ୨ବର୍ଷ ତଳେ ଜଣେ ସିବିଆଇ ଅଫିସର ଆତ୍ମହତ୍ୟା କରିଥିଲେ। ଏବେ ପୁଣି ଏଭଳି ଘଟିଛି। ୨ଦିନ ତଳେ ଆତ୍ମହତ୍ୟା କରିଥିବା ସିବିଆଇ ଆଇନ ପରାମର୍ଶଦାତା ଜିତେନ୍ଦ୍ର କୁମାରଙ୍କ ଉପରେ ମଧ୍ୟ ମୋ ବିରୋଧରେ ମିଥ୍ୟା ମାମଲା ରୁଜୁ ପାଇଁ ଚାପ ପକାଯାଉଥିଲା।
ତାଙ୍କ ଦାବି ଅନୁଯାୟୀ, ଦୁର୍ନୀତି ନିବାରଣ ଶାଖାରେ ଜିତେନ୍ଦ୍ର କୁମାର ଜଣେ ଆଇନ ପରାମର୍ଶଦାତା ଥିଲେ। ଅବକାରୀ ନୀତି ପ୍ରସଙ୍ଗରେ ମୋ ବିରୋଧରେ କରାଯାଇଥିବା ଏଫ୍ଆଇଆରର ଆଇନଗତ ମାମଲା ଉପରେ ଜିତେନ୍ଦ୍ର କୁମାର ହିଁ କାମ କରୁଥିଲେ। ମୋ ବିରୋଧରେ ଏକ ଭୁଲ ମାମଲା ରୁଜୁ କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା, ଯାହାଫଳରେ ମୋତେ ଗିରଫ କରାଯାଇପାରିବ। କିନ୍ତୁ ସେ ଅନୁମୋଦନ ଦେଉନଥିଲେ। ଏହି ମାମଲାରେ ତାଙ୍କ ଉପରେ ଏତେ ଚାପ ପକାଗଲା ଯେ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିଲେ।
ସିସୋଦିଆ ଆହୁରି କହିଛନ୍ତି ଯେ, ଆଜି ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିବାକୁ ଚାହେଁ ଯେ ଆପଣ ମୋତେ ଫସାଇବାକୁ ଚାହୁଁଛନ୍ତି ଯଦି ଫସାନ୍ତୁ, ଚଢ଼ଉ କରନ୍ତୁ। କିନ୍ତୁ ଅଧିକାରୀଙ୍କ ଉପରେ ଏପରି ଚାପ ପକାଇ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରନ୍ତୁ ନାହିଁ। ସେମାନଙ୍କ ଘର ନଷ୍ଟ ହୋଇଯାଉଛି।
ମନୀଷ ସିସୋଦିଆ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ ପଚାରିବାକୁ ଚାହୁଁଛି।
୧. ଅଧିକାରୀଙ୍କ ଉପରେ ଏତେ ଚାପ କାହିଁକି ପକାଯାଉଛି ଯେ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି?
୨. ଭାରତ ସରକାରଙ୍କ କାର୍ଯ୍ୟ ବର୍ତ୍ତମାନ କେବଳ ଅପରେସନ୍ ଲୋଟସ୍ ଚଳାଇବା କି?
୩. ଲୋକମାନଙ୍କର ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଆପଣ କେତେ ବଳିଦାନ ନେବେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/t-54.jpg)