ନୂଆଦିଲ୍ଲୀ: ଦିଲ୍ଲୀର ମୌଲାନା ଆଜାଦ ଇନଷ୍ଟିଚ୍ୟୁଟଫର୍‌ ଡେଣ୍ଟାଲ ସାଇନ୍ସ(ଏମ୍‌ଏଆଇଡିଏସ୍‌)ର ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। କାରଣ ଉକ୍ତ ଡାକ୍ତରଙ୍କ ଠାରେ କରୋନା ଲକ୍ଷଣ ଥିଲେ ହେଁ ଦୁଇଥର ତାଙ୍କ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଥିଲା।

Advertisment

ସୂଚନାଯୋଗ୍ୟ, ଗତ ଗୁରୁବାର ସକାଳେ ୨୬ ବର୍ଷୀୟ ଜୁନିୟର ରେସିଡେଣ୍ଟ ଡାକ୍ତର ଅଭିଷେକ ଭୟାନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବା ସମ୍ପର୍କରେ ଗୁରୁବାର ସକାଳେ ନିଜ ଭାଇ ଅମନ୍‌ (୩୧)ଙ୍କୁ ଜଣାଇଥିଲେ। ହସ୍‌ପିଟାଲ୍‌ ଆସିବା ପରେ ତାଙ୍କର ଦୁଇଥର କରୋନା ନମୁନା ପରୀକ୍ଷା କରାଯାଇଥିଲା। କିନ୍ତୁ ଦୁଇଥର ଅଭିଷେକଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲ। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଚାଲିଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏମ୍‌ଏଆଇଡିଏସ୍‌ର ଜଣେ ବରିଷ୍ଠ ଡାକ୍ତରଙ୍କ ମୁତାବକ ଅଭିଷେକଙ୍କଠାରେ କରୋନା ଭୂତାଣୁ ସଂକ୍ରମଣର ସବୁ ଲକ୍ଷଣ ଥିଲା । କିନ୍ତୁ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସି ନ ଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।

Representative image

ଉଲ୍ଲେଖଯୋଗ୍ୟ, ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇ ୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬,୭୩,୧୬୫ ଜଣ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪,୦୯,୦୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୯,୨୬୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗତକାଲି ୨୨,୭୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୨୪ଘଣ୍ଟା ମଧ୍ୟରେ ୨୪, ୮୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୩ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଦେଶରେ ୨,୪୪,୮୧୪ଟି ସକ୍ରିୟ ମାମଲା ରହିଛି।