ଯାତ୍ରୀ ମରିଯିବାରୁ କରାଚୀରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ଦୋହା ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଜଣେ ଯାତ୍ରୀ ମରିଯିବାରୁ ଭାରତରୁ ଦୁବାଇ ଅଭିମୁଖେ ଯାଉଥିବା ଗୋଟାଏ ‘ଇଣ୍ଡିଗୋ’ ବିମାନ ଆଜି ପାକିସ୍ତାନର କରାଚୀସ୍ଥିତ ‘ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଜରୁରୀ ଅବତରଣ କରିଥିବା କଥା ଆଞ୍ଚଳିକ ପାକିସ୍ତାନୀ ନିଉଜ୍‌ ଚାନେଲ୍‌ ‘ଏଆର୍‌ୱାଇ’ ନିଉଜ୍‌ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ଉଡ଼ନ୍ତା ବିମାନରେ ଜଣେ ଯାତ୍ରୀ ମରିଯିବାରୁ ‘ଇଣ୍ଡିଗୋ’ ପାଇଲଟ୍‌ କରାଚୀ ବିମାନ ବନ୍ଦରରେ ବିମାନ ଅବତରଣ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

Image Courtesy of India TV News

‘ଫ୍ଲାଇଟ୍‌ ଟ୍ରାକିଙ୍ଗ୍‌ ୱେବ୍‌ସାଇଟ୍‌’ ‘ଫ୍ଲାଇଟ୍‌ଆୱେର୍‌’ ଦର୍ଶାଯାଇଛି ଯେ, ଆଜି ସକାଳ ୮.୪୧ରେ ଦିଲ୍ଲୀର ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରୁ ‘ଇଣ୍ଡିଗୋ’ ବିମାନ ‘୬ଇ ୨୩’ ଉଡ଼ାଣ ଆରମ୍ଭ କରିଥିଲା। ପୂର୍ବାହ୍ନ ୧୧ଟା ବେଳେ ବିମାନଟି ‘ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲା।

କିନ୍ତୁ, ଉଡ଼ନ୍ତା ବିମାନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିପନ୍ନ ହୋଇପଡ଼ିବାରୁ ବିମାନଟି ‘କରାଚୀ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କଲା। ‘ମେଡିକାଲ୍‌ ଏମର୍ଜେନ୍‌ସି’ କାରଣରୁ ‘ଇଣ୍ଡିଗୋ’ ବିମାନର ପାଇଲଟ୍‌ ‘କରାଚୀ ଆନ୍ତର୍ଜାତିକ ବିମାନ ବନ୍ଦର’ର ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌’ଙ୍କଠାରୁ ଜରୁରୀ ଅବତରଣ ନିମନ୍ତେ ଅନୁମତି ମାଗିଥିଲେ।

ପ୍ରାଥମିକ ରିପୋର୍ଟ ଅନୁସାରେ, ବିମାନ କରାଚୀରେ ଅବତରଣ କରିବା ପୂର୍ବରୁ ଅବ୍ଦୁଲ୍ଲା ନାମକ‌ ଜଣେ ୬୦ ବର୍ଷିୟ ନାଇଜେରୀୟ ନାଗରିକଙ୍କର ମୃତ୍ୟୁ ଘଟିସାରିଥିଲା। ବିମାନ ଅବତରଣ ନିମନ୍ତେ ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌’ ‘ଇଣ୍ଡିଗୋ’ ପାଇଲଟ୍‌ଙ୍କୁ ଅନୁମତି ଦେବା ସହିତ ବିମାନ ବନ୍ଦରରେ ‘ଆମ୍ବୁଲାନ୍‌ସ୍‌’ ପ୍ରସ୍ତୁତ କରି ରଖିଥିଲେ।

ସମ୍ବନ୍ଧିତ ଖବର