ଦିଲ୍ଲୀ ବିଧାନସଭା ନିର୍ବାଚନ : ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋଟ ୭୦ଟି ଆସନ ମଧ୍ୟରୁ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏମାନଙ୍କ ମଧ୍ୟରୁ ୧୧ ଜଣ ପ୍ରାର୍ଥୀ ଅନୁସୂଚୀତ ଜାତି ବର୍ଗର ଓ ୪ ଜଣ ହେଉଛନ୍ତି ମହିଳା । ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ଵାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ଆପ ରୁ ଆସି ବିଜେପିରେ ମିଶିଥିବା କପିଲ ମିଶ୍ର ମଡେଲ ଟାଉନରୁ ନିର୍ବାଚନ ଲଢିବେ । ରୋହିଣିରୁ ବିଜେନ୍ଦ୍ର ଗୁପ୍ତା, ସାଲିମାର ବାଗରୁ ରେଖା ଗୁପ୍ତା, ଚାନ୍ଦିନି ଚୌକରୁ ସୁମନ ଗୁପ୍ତା ନିର୍ବାଚନ ଲଢିବେ । କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ୩ ଜଣ ସଂଜୟ ସିଂ, ସୁରେନ୍ଦ୍ର ସିଂ ଓ ଏସସି ଭାଟ୍ସଙ୍କୁ ବିଜେପି ଟିକେଟ ଦେଇଛି । ଆପରୁ ଆସିଥିବା ଅନୀଲ ବାଜପେୟୀ ମଧ୍ୟ ଟିକେଟ ପାଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ବିରୁଦ୍ଧରେ କିଏ ଲଢିବ, ସେ ସଂପର୍କରେ ଦଳ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହିଁ । କେଜରିଓ୍ଵାଲ ନୂଆଦିଲ୍ଲୀ ଆସନରୁ ଲଢୁଛନ୍ତି ।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର