ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣାପତ୍ର ପ୍ରକାଶ କଲା ଆପ୍‌: ୨୪-ଘଣ୍ଟିଆ ବିଜୁଳି ଓ ନିର୍ମଳ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ଆମ ଆଦମି ପାର୍ଟି (ଆପ୍‌) ପକ୍ଷରୁ ମଙ୍ଗଳବାରଦିନ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶିତ ହୋଇଛି । ଦିଲ୍ଲୀବାସୀଙ୍କୁ ଉଚ୍ଚଗୁଣମାନର ଶିକ୍ଷା,ସ୍ୱାସ୍ଥ୍ୟ, ନିର୍ମଳ ପାନୀୟ ଜଳ ଓ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ଏଥିରେ ପ୍ରତିଶ୍ରୁତି ଦିଆଯାଇଛି ।

ଏହି ନିର୍ବାଚନୀ ଇସ୍ତାହାରର ନାମ ରଖାଯାଇଛି ୨୮ସୁତ୍ରୀ ଗ୍ୟାରେଣ୍ଟି କାର୍ଡ । ଏହାକୁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଉନ୍ମୋଚନ କରିଛନ୍ତି । ଏଥିରେ ଦିଆଯାଇଥିବା ଅନ୍ୟ ପ୍ରତିଶ୍ରୁତି ମଧ୍ୟରେ ରହିଛି ଘରକୁ ଘର କଣ୍ଟ୍ରୋଲ ସାମଗ୍ରୀ ଯୋଗାଣ, ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କୁ ମାଗଣା ତୀର୍ଥଯାତ୍ରା ଓ ସଫେଇ କର୍ମଚାରୀ କର୍ତ୍ତବ୍ୟରତ ଥିବାବେଳେ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ । ଆହୁରି ମଧ୍ୟ ଦିଲ୍ଲୀର ବଜାରକୁ ୨୪ ଘଣ୍ଟା ଖୋଲା ରଖିବାକୁ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯିବାକୁ ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ସିସୋଦିଆ କହିଛନ୍ତି ଯେ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟର ମାନ୍ୟତା ଦେବା ଓ ଦିଲ୍ଲୀର ପ୍ରତିପରିବାରର ସମୃଦ୍ଧି ତାଙ୍କ ଦଳର ଲକ୍ଷ୍ୟ । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆପ ପକ୍ଷରୁ ବିଜେପି ଘୋଷଣାପତ୍ରର କିଛି ଅଂଶ ନକଲ କରାଯାଇଛି । ଅବଶିଷ୍ଟ ଅଂଶରେ ୨୦୧୫ ର ପ୍ରତିଶ୍ରୁତି ଗୁଡ଼ିକୁ ପୁଣି ଦୋହରାଯାଇଛି ।  ଗତ ରବିବାରଦିନ ଦିଲ୍ଲୀ କଂଗ୍ରେସ ପକ୍ଷରୁ ମଧ୍ୟ ନିଜର ନିର୍ବାଚନୀ ଘୋଷଣାପତ୍ର ପ୍ରକାଶ କରାଯାଇଥିଲା ।

ସମ୍ବନ୍ଧିତ ଖବର