ନୂଆଦିଲ୍ଲୀ: ୨୭ ବର୍ଷର ବ୍ୟବଧାନ ପରେ ବିଜେପି ଦିଲ୍ଲୀରେ ପୁଣି ଥରେ କ୍ଷମତା ହାସଲ କରିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବିଜେପି ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଦୁର୍ଗ ଭୁଶୁଡ଼ାଇ ଦେଇଛି। ଆପ୍ର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଆତିଶୀ ୩୫ ଶହ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦଳର ଅନେକ ତୁଙ୍ଗ ନେତାଙ୍କ ପରାଜୟ ଆପ୍କୁ ଦୋହଲାଇ ଦେଇଛି ଏବଂ ଦଳ ୨୨ ଆସନରେ ସୀମିତ ରହିଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ପୁଣି ଦିଲ୍ଲୀରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ ଏବଂ ଲଗାତାର ତୃତୀୟ ଥର ପାଇଁ ବିପର୍ଯ୍ୟୟ ମୁଣ୍ଡାଇଛି। ଆଜିର ଏହି ନିର୍ବାଚନ ଫଳାଫଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିବା ବେଳେ ଇଣ୍ଡି ମେଣ୍ଟର ଭବିଷ୍ୟତ ନେଇ ମଧ୍ୟ ବଡ଼ ଚ୍ୟାଲେଞ୍ଜ ଆଣିଛି। ଦିଲ୍ଲୀରେ ବିଜେପିର ବଡ଼ ବିଜୟକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିକାଶ ଓ ସୁଶାସନ ପାଇଁ ଦିଲ୍ଲୀବାସୀ ରାୟ ଦେଇଛନ୍ତି। ଐତିହାସିକ ଜନାଦେଶ ପାଇଁ ମୁଁ ଦିଲ୍ଲୀର ଭାଇ ଭଉଣୀମାନଙ୍କୁ କୃତଜ୍ଞତା ଜଣାଉଛି।
୨୭ ବର୍ଷ ପରେ ବିପୁଳ ବିଜୟ
ବିଜେପିକୁ ୪୮, ଆପ୍କୁ ୨୨ ଆସନ
ଖାତା ଖୋଲିପାରିଲାନି କଂଗ୍ରେସ
ନୂଆଦିଲ୍ଲୀ ଆସନରୁ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତାଙ୍କ ବିଜେପି ପ୍ରତିଦ୍ୱନ୍ଦ୍ୱୀ ପରବେଶ ବର୍ମାଙ୍କଠାରୁ ପରାଜିତ ହେବାପରେ କହିଛନ୍ତି, ଆପ୍ ଲୋକଙ୍କ ରାୟକୁ ଗ୍ରହଣ କରୁଛି। ଜନତାଙ୍କ ନିଷ୍ପତ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିଜୟ ପାଇଁ ମୁଁ ବିଜେପିକୁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଶା କରୁଛି ଯେ ଏହା ସେମାନଙ୍କୁ ସଂଖ୍ୟାଗରିଷ୍ଠତା ଦେଇଥିବା ଲୋକଙ୍କ ଆଶା ପୂରଣ କରିବ। ମୁଖ୍ୟମନ୍ତ୍ରୀ ଆତିଶୀ ଦକ୍ଷିଣ ଦିଲ୍ଲୀର କାଲକାଜି ଆସନରୁ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଭିତରେ ବିଜୟ ହାସଲ କରିବା ଦଳ ପାଇଁ ଆଶ୍ବସ୍ତିର କାରଣ ହୋଇଛି। ଆପ୍ ପରାଜୟ ଉପରେ ପ୍ରତିକ୍ରିୟା ରଖି ଆତିଶୀ କହିଛନ୍ତି, ବିଜେପିର ଗୁଣ୍ଡାଗିରିକୁ ପ୍ରତିହତ କରିବା ପାଇଁ ଆପ୍ କର୍ମୀ ନିଷ୍ଠାର ସହ ଲଢ଼େଇ କରିଛନ୍ତି। ଆମେ ଦିଲ୍ଲୀ ଏବଂ ଦେଶର ଲୋକଙ୍କ ପାଇଁ ଆମର ସଂଗ୍ରାମ ଜାରି ରଖିବୁ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ୫ ତାରିଖରେ ହୋଇଥିବା ଗୋଟିଏ ପର୍ଯ୍ୟାୟ ମତଦାନରେ ୬୦.୫୪ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଆଜି ସନ୍ଧ୍ୟାରେ ନିର୍ବାଚନ କମିସନଙ୍କ ଦ୍ବାରା ଜାରି ତଥ୍ୟ ମୁତାବକ ବିଜେପି ୪୫.୮ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଆପ୍ ୪୩.୮ ପ୍ରତିଶତ ଏବଂ କଂଗ୍ରେସ ୬.୪ ପ୍ରତିଶତ ଭୋଟ୍ ପାଇଛି।
ସୂଚନାଯୋଗ୍ୟ, ଆପ୍ ୨୦୧୫ ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସକୁ ପରାସ୍ତ କରି ରାଜଧାନୀର ୭୦ଟି ବିଧାନସଭା ଆସନମଧ୍ୟରୁ ୬୭ଟିରେ ବିଜୟୀ ହୋଇ ଦିଲ୍ଲୀର ରାଜନୈତିକ ମାନଚିତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ୨୦୨୦ରେ ଦଳ ପୁଣି ଥରେ ୬୨ଟି ଆସନରେ ବିଜୟୀ ହୋଇ ବିରୋଧୀ ବିଜେପି ଓ କଂଗ୍ରେସକୁ ଶୋଚନୀୟ ପରାସ୍ତ କରି ସରକାର ଗଠନ କରିଥିଲା। ତେବେ ୨୦୨୦ ପରଠାରୁ ବିଭିନ୍ନ ସମୟରେ ଦୁର୍ନୀତି, ବିବାଦ, ପ୍ରଦୂଷଣ ଓ ଜଳଯୋଗାଣ ସମସ୍ୟା ଏବଂ ବିକାଶ ପ୍ରତି ଅଣଦେଖା ଅଭିଯୋଗ ଭିତରେ ଆପ୍ ଛନ୍ଦି ହୋଇପଡ଼ିଥିଲା। ଆପ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଦିଲ୍ଲୀ ମଦ ଦୁର୍ନୀତି ମାମଲା। ଏହି ମାମଲାରେ କେଜ୍ରିୱାଲ ଓ ମନିଷ ସିସୋଦିଆଙ୍କୁ ଜେଲ୍ ଯିବାକୁ ପଡ଼ିଥିବା ବେଳେ ‘ଶୀଶ୍ ମହଲ’ ବିବାଦ ମଧ୍ୟ ଆପ୍ ପାଇଁ କାଳ ସାଜିଲା। କେଜ୍ରିଵାଲ ସରକାର ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ପାଇଁ ବିପୁଳ ଖର୍ଚ୍ଚ କରିଥିବା ଦର୍ଶାଇ ବିଜେପି ଆପ୍କୁ ଘେରିବାକୁ ସକ୍ଷମ ହୋଇଥିଲା ଏବଂ ଏହାର ପରିଣାମ ଆଜି ଘୋଷଣା ହୋଇଥିବା ନିର୍ବାଚନ ଫଳରେ ଦେଖିବାକୁ ମିଳିଛି। ଏକ ଦଶନ୍ଧି ଧରି ଦିଲ୍ଲୀକୁ ନିଜର ସୁଦୃଢ଼ ଗଡ଼ରେ ପରିଣତ କରିଥିବା ଆପ୍ ଏବେ ପରାଜୟ ପରେ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି। ଏବେ ପଞ୍ଜାବ ହିଁ ଆପ୍ର ଶେଷ ଗଡ଼ ଭାବେ ରହିଯାଇଛି ଆଗକୁ ଇଣ୍ଡିମେଣ୍ଟରେ କେଜ୍ରିୱାଲଙ୍କ ଭୂମିକା କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
‘ବିକାଶ, ଦୂରଦୃଷ୍ଟି ଓ ବିଶ୍ବାସର ବିଜୟ’
ନୂଆଦିଲ୍ଲୀ: ‘ଦେଶବ୍ୟାପୀ ବିଜେପି କର୍ମୀମାନଙ୍କ ମନରେ ଏକ ଯନ୍ତ୍ରଣା ଥିଲା ଏବଂ ସେହି ଯନ୍ତ୍ରଣା ହେଉଛି ବିଜେପି ଦିଲ୍ଲୀ ବାସିନ୍ଦାଙ୍କର ସମ୍ପୂର୍ଣ୍ଣ ସେବା କରିବାପାଇଁ ସୁଯୋଗ ପାଉନାହିଁ। କିନ୍ତୁ ଆଜି ଦିଲ୍ଲୀ ଆମର ଏହି ଅନୁରୋଧ ଗ୍ରହଣ କରିଛି। ଆମକୁ ଦିଲ୍ଲୀ ବାସିନ୍ଦାଙ୍କର ସେବା କରିବାପାଇଁ ସୁଯୋଗ ମିଳିଛି। ଦିଲ୍ଲୀ ଆମକୁ ଭଲପାଇବା ଦେଇଛି ଏବଂ ଆମେ ବିକାଶ ସହ ଏହି ଭଲପାଇବାକୁ ଦୁଇଗୁଣା କରି ଫେରାଇବୁ।’ ଦିଲ୍ଲୀରେ ବିଜେପିର ବିଶାଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପି ମୁଖ୍ୟାଳୟରେ ବିଜୟ ଭାଷଣ ରଖି ଏହି ଟିପ୍ପଣୀ ଦେଇଛନ୍ତି।
ବିଜେପି କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଜନ୍ମ ହୋଇଥିବା ଯୁବଗୋଷ୍ଠୀ ଏବେ ପ୍ରଥମ ଥର ପାଇଁ ଦିଲ୍ଲୀରେ ବିଜେପି ସୁଶାସନ ଦେଖିପାରିବେ। ଦିଲ୍ଲୀରେ ବିକାଶ, ଦୂରଦୃଷ୍ଟି ଏବଂ ବିଶ୍ବାସର ବିଜୟ ହୋଇଛି। ଦିଲ୍ଲୀର ଲୋକମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ସେମାନେ ହିଁ ସହରର ବାସ୍ତବ ମାଲିକ। ଯେଉଁମାନେ ଦିଲ୍ଲୀକୁ ସେମାନଙ୍କ ନିଜ ସମ୍ପତ୍ତି ଭଳି ବ୍ୟବହାର ଦେଖାଇଛନ୍ତି, ଦିଲ୍ଲୀ ବାସିନ୍ଦା ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦିଲ୍ଲୀର ବିକାଶ ଦିଗରେ ତାଙ୍କ ପ୍ରତିଶ୍ରୁତିକୁ ଦୋହରାଇ ମୋଦୀ କହିଛନ୍ତି, ଏହି ଜନାଦେଶ ‘ମୋଦୀ ଗ୍ୟାରେଣ୍ଟି’ ଉପରେ ଲୋକଙ୍କ ବିଶ୍ବାସକୁ ପ୍ରତିଫଳିତ କରୁଛି। ଭୋଟରଙ୍କୁ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ମୋ ମୁଣ୍ଡ ନୁଆଁଉଛି ଏବଂ ମୋଦୀ ଗ୍ୟାରେଣ୍ଟିରେ ବିଶ୍ବାସ କରିଥିବାରୁ ଦିଲ୍ଲୀ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ମୋଦୀ ଆଜି ‘ଯମୁନା ମାତା କୀ ଜୟ’ କହି ତାଙ୍କ ବିଜୟ ଭାଷଣ ଆରମ୍ଭ କରିଥିଲେ। ମୋଦୀ କହିଛନ୍ତି, ଦିଲ୍ଲୀର ଲୋକଙ୍କ ମନରେ ଆଜି ପ୍ରବଳ ଉତ୍ସାହ। ସେମାନେ ଆଶ୍ବସ୍ତ ଅନୁଭବ କରୁଛନ୍ତି। କାରଣ ଦିଲ୍ଲୀ ‘ଆପ୍-ଦା’ କବଳରୁ ମୁକ୍ତ ହୋଇଛି।