ଆଜି ଦିଲ୍ଲୀ ଭୋଟ୍‌, ସୁରକ୍ଷା କଡ଼ାକଡ଼ି : ୭୦ ଆସନରେ ଭୋଟ୍‌ ଗ୍ରହଣ, ୭୫,୦୦୦ ସୁରକ୍ଷା କର୍ମୀ ମୁତୟନ

ନୂଆଦିଲ୍ଲୀ: ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଆସନ୍ତାକାଲି (ଶନିବାର) ଭୋଟ୍‌ ଗ୍ରହଣ ହେବ। ସମୁଦାୟ ୬୭୨ ପ୍ରାର୍ଥୀ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ୁଥିବା ବେଳେ ସେମାନଙ୍କ ମଧ୍ୟରେ ୭୯ ଜଣ ମହିଳା ଅଛନ୍ତି। ଦିଲ୍ଲୀରେ ୧୪.୭ ନିୟୁତରୁ ଅଧିକ ଭୋଟର ଅଛନ୍ତି। ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ଏବଂ ଆସନ୍ତା ୧୧ ତାରିଖରେ ଫଳାଫଳ ଘୋଷଣା ହେବ। ଚଳିତ ନିର୍ବାଚନରେ ମୁଖ୍ୟତଃ ୩ ଦଳ ଆପ୍‌, ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିଲେ ସୁଦ୍ଧା ଆପ୍‌ ଏବଂ ବି‌ଜେପି ମୁହାଁମୁହିଁ ଲଢ଼ୁଛନ୍ତି। ଲୋକମାନଙ୍କୁ ଭୋଟ୍‌ ଦେବାପାଇଁ ଉତ୍ସାହିତ କରିବା ନିମନ୍ତେ ଆସନ୍ତାକାଲି ଦିଲ୍ଲୀରେ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି। ଫେବ୍ରୁଆରି ୮ରେ ସମସ୍ତ ସରକାରୀ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ବୟସ୍କଙ୍କ ପାଇଁ ବୁଥ୍‌କୁ ଯିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବିରୋଧରେ ନୂଆଦିଲ୍ଲୀ ଆସନରୁ ବିଜେପିର ସୁନୀଲ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ବିଜେପର ଅନ୍ୟ ଜଣେ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ତଜିନ୍ଦର ବାଗ୍ଗା। ପୂର୍ବରୁ ଆପ୍‌‌ରେ ଥିବା କପିଲ ମିଶ୍ରା ମଡେଲ ଟାଉନ୍‌ ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

୭୫,୦୦୦ ସୁରକ୍ଷା କର୍ମୀ ମୁତୟନ
ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ୭୫,୦୦୦ ସୁରକ୍ଷାକର୍ମୀ ଦିଲ୍ଲୀରେ ମୁତୟନ ହୋଇଛନ୍ତି। ଦିଲ୍ଲୀରେ ୨୬୮୯ ନିର୍ବାଚନୀ ବୁଥ୍‌ରେ ଏହି ସୁରକ୍ଷାକର୍ମୀମାନେ ସୁରକ୍ଷା ଦେବା ସହ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ମୁ୍ତୟନ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ୪୦,୦୦୦ ଦିଲ୍ଲୀ ପୁଲିସ, ୧୫,୦୦୦ ଅର୍ଦ୍ଧସାମରିକ ବାହିନୀର ସଦସ୍ୟ ବୁଥ୍‌ମାନଙ୍କରେ ସୁରକ୍ଷା ଦାୟିତ୍ବରେ ରହିଛି। ଦିଲ୍ଲୀରେ ୨୬୮୯ ନିର୍ବାଚନୀ ବୁଥ୍‌ରୁ ୫୪୫ଟି ବୁଥ୍‌ ଅତ୍ୟନ୍ତ ସମ୍ବେଦନଶୀଳ ରହିଛି।

କେଜ୍ରିୱାଲ୍‌ଙ୍କୁ ଇସିଙ୍କ କାରଣ ଦର୍ଶାଅ ନୋଟିସ୍‌
ନୂଆଦିଲ୍ଲୀ : ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆଜି ନିର୍ବାଚନ କମିସନ୍‌ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। କେଜ୍ରିୱାଲ୍‌ ଗତ ୩ ତାରିଖରେ ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରେ ବିରୋଧୀଙ୍କୁ ଟାର୍ଗେଟ୍‌ କରି ଏକ ‘ହିନ୍ଦୁ -ମୁସଲିମ୍‌’ ଭିଡିଓ ପୋଷ୍ଟ୍‌ କରିଥିଲେ। ଏହି ବିବାଦୀୟ ଭିଡିଓଟି ସାମ୍ପ୍ରଦାୟିକ ସଦ୍‌ଭାବନାକୁ ଆଘାତ ଦେଇଥିବା ବିଜେପି ଅଭିଯୋଗ କରିଛି। । ନିର୍ବାଚନ କମିସନ୍‌ କହିଛନ୍ତି କେଜ୍ରିୱାଲ୍‌ ଏଭଳି ଭିଡିଓ ପୋଷ୍ଟ୍‌ କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଏନେଇ ଜବାବ ରଖିବାକୁ କମିସନ୍‌ କହିଛନ୍ତି। ବିଜେପିର ଅଭିଯୋଗ ଆଧାରରେ କମିସନ୍‌ କେଜ୍ରିୱାଲ୍‌ଙ୍କୁ ନୋଟିସ୍‌ କରିଛନ୍ତି। ଅନ୍ୟପକ୍ଷେ ଆପ୍‌ ପ୍ରସିଦ୍ଧ ବଲିଉଡ୍‌ ଚଳଚ୍ଚିତ୍ର ‘ଶୋଲେ’କୁ ବିକୃତ କରି ବିଜେପିକୁ ସୋସିଆଲ ମିଡିଆରେ ପରିହାସ କରିଥିବାରୁ ବିଜେପି ଏନେଇ ଆପ୍‌ ବିରୋଧରେ ଦିଲ୍ଲୀ ପୁଲିସ କମିସନରଙ୍କ ନିକଟରେ ଏଫ୍‌ଆଇଆର ରୁଜୁ କରିଛି।

ସମ୍ବନ୍ଧିତ ଖବର