ଦିଲ୍ଲୀ ଅବକାରୀ ଦୁର୍ନୀତି: ସିସୋଦିଆଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍ ନେଇ ସସ୍‌ପେନ୍ସ ଜାରି

ମନି ଲଣ୍ଡରିଂ ମାମଲା ବି ରୁଜୁ ହେବ

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଛି ବୋଲି ଟ୍ବିଟରରେ ଅଭିଯୋଗ କରିବାର କେଇ ଘଣ୍ଟା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏଯାବତ୍ ସିବିଆଇ ପକ୍ଷରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତାଙ୍କୁ ବା ଅନ୍ୟ କାହାରିକୁ ଏପରି କୌଣସି ନୋଟିସ୍ ଦିଆଯାଇ ନାହିଁ। ସିବିଆଇ କହିଛି ଯେ ସେମାନେ ଏବେ ନଥିପତ୍ର ଯାଞ୍ଚ କରୁଛନ୍ତି ଏବଂ ସନ୍ଦିଗ୍ଧମାନଙ୍କୁ ଜେରା ପାଇଁ ନୋଟିସ୍ ଜାରି କରାଯାଉଛି। କିନ୍ତୁ ସିବିଆଇ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଛି ବୋଲି ସିସୋଦିଆ ଅଭିଯୋଗ କରିବା ସହ ଏହା ଏକ ଡ୍ରାମା ଏବଂ ସେମାନେ ଶୁକ୍ରବାର ତାଙ୍କ ଘରେ ଚଢ଼ଉ କରି କିଛି ପାଇନାହାନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ଏହି ମାମଲାରେ ଏଫ୍‌ଆଇଆର୍‌ରେ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ସମସ୍ତଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି ବୋଲି କେତେକେ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛନ୍ତି। ସିବିଆଇର କାର୍ଯ୍ୟାନୁଷ୍ଠାନ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହି ମାମଲାରେ ଖୋଳତାଡ଼ ଆରମ୍ଭ କରିଦେଇଛି।

ସିସୋଦିଆଙ୍କୁ ଲୁକ୍‌ଆଉଟ୍‌ ନୋଟିସ ପ୍ରସଙ୍ଗରେ ସିବିଆଇ କହିଛି ଯେ ପବ୍ଲିକ୍ ସର୍ଭାଣ୍ଟମାନଙ୍କୁ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିବା ଆବଶ୍ୟକ ନାହିଁ। କାରଣ ସେମାନେ ସରକାରଙ୍କୁ ନ ଜଣାଇ ଦେଶ ଛାଡ଼ି ଯିବେ ନାହିଁ। ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ୨୦୨୧-୨୨କୁ କାର୍ଯ୍ୟକାରୀ କରିବାରେ ହୋଇଥିବା ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମରେ ଏଫ୍‌ଆଇଆର୍ ରୁଜୁ କରିଛି। ଶୁକ୍ରବାର ସିବିଆଇ ସିସୋଦିଆଙ୍କ ଘର ଏବଂ କେତେକ ଅଧିକାରୀ ଓ ବ୍ୟବସାୟୀଙ୍କ ଘର ଓ ବ୍ୟବସାୟ ସ୍ଥଳ ଆଦି ୩୧ଟି ସ୍ଥାନରେ ଚଢ଼ଉ କରିଥିଲା।

ମନି ଲଣ୍ଡରିଂ ମାମଲା ବି ରୁଜୁ ହେବ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ସିବିଆଇ ମନି ଲଣ୍ଡରିଂ ସଂକ୍ରାନ୍ତ କେତେକ ପ୍ରମାଣ ଇଡିକୁ ପ୍ରଦାନ କରିଛି। ଉଭୟ ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ ତର୍ଜମା କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ଇଡି ମନି ଲଣ୍ଡିରଂ ବାବଦରେ ଖୋଳତାଡ଼ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ସିସୋଦିଆଙ୍କ ବିରୋଧରେ ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ମାମଲା ରୁଜୁ ପାଇଁ ବେଆଇନ ନେଣଦେଣ ଉପରେ ଏବେ ଅଧିକ ଫୋକସ୍‌ କରାଯାଉଛି।

ସମ୍ବନ୍ଧିତ ଖବର