ଦିଲ୍ଲୀ ଅବକାରୀ ଦୁର୍ନୀତି: ସିସୋଦିଆ ମୁଖ୍ୟ ଅଭିଯୁକ୍ତ, ୩୧ ସ୍ଥାନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଆଜି ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଛି। ମୋଟ ୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୧ଟି ସ୍ଥାନରେ ଆଜି ସିବିଆଇ ଚଢ଼ଉ ହୋଇଛି। ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପୀକ୍ରୀଷ୍ଣାଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଛି। ଏଥିସହ କେନ୍ଦ୍ର ସରକାର ଏବଂ ଆପ୍‌ ମଧ୍ୟରେ ତିକ୍ତତା ବଢ଼ିଛି। ବିଜେପି ଏବଂ ଆପ୍‌ ଆଜି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି ବୋଲି ଆପ୍‌ ଅଭିଯୋଗ କରିଛି। ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ସିବିଆଇ ଏକ ଏତଲା ରୁଜୁ କରିବାପରେ ଆଜିର ଚଢ଼ଉ ଆରମ୍ଭ କରିଥିଲା। ସିବିଆଇ ଏତଲାରେ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମ ଅଛି। ଏତଲା‌ରେ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସିସୋଦିଆଙ୍କ ବାସଭବନରେ ଆଜି ୧୫ ଘଣ୍ଟାରୁ ଅଧିକ ସମୟ ଚଢ଼ଉ ହୋଇଥିଲା। ବିଭିନ୍ନ ଦସ୍ତାବିଜ୍‌ ସହିତ ସିସୋଦିଆଙ୍କ କମ୍ପ୍ୟୁଟର ଓ ଫୋନ୍‌କୁ ସିବିଆଇ ଜବତ କରିଛି। ସିସୋଦିଆଙ୍କ କାର୍‌ରେ ମଧ୍ୟ ତଲାସି ହୋଇଥିଲା। ଏତଲା ଅନୁଯାୟୀ ସିସୋଦିଆ ଏବଂ ଅନ୍ୟମାନେ ୨୦୨୧-୨୨ ଅବକାରୀ ନୀତିକୁ ଅନୁମୋଦନ ଦେବାରେ ମୁଖ୍ୟ ସୂତ୍ରଧର ଥିଲେ। ଟେଣ୍ଡର ପରବର୍ତ୍ତୀ ସମୟରେ ସେମାନେ ଲାଇସେନ୍ସଧାରୀଙ୍କୁ ଅନୈତିକ ସୁବିଧା ପ୍ରଦାନ କରିଥିଲେ ଏବଂ ଏକ ବିଶାଳ ଦୁର୍ନୀତି ପାଇଁ ବାଟ ଫିଟାଇ ଦେଇଥିଲେ।

ଆପ୍‌ ନେତା ମନୀଷ ସିସୋଦିଆ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କହିଛନ୍ତି। ସିସୋଦିଆ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମା‌ନେ ଦେଶରେ ଭଲ କାମ କରୁଛନ୍ତି ସେମାନଙ୍କୁ ଏଭଳି ନିର୍ଯାତନା ଦିଆଯାଉଛି। ସିସୋଦିଆ କହିଛନ୍ତି, ଆମେ ସଚ୍ଚୋଟ। ଆମ ବିରୋଧରେ ଆସିଥିବା ଅଭିଯୋଗ ମିଛ। କୋର୍ଟରେ ହିଁ ସବୁ ସତ କଥା ଜଣାପଡ଼ିବ। ତେବେ ଆପ୍‌ ନେତାଙ୍କ ଘରେ ସିବିଆଇ ଚଢ଼ଉ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ସିବିଆଇକୁ ସ୍ବାଗତ କରୁଛି। ପୂର୍ବରୁ ମଧ୍ୟ ସିବିଆଇ ତାଙ୍କ ନେତାଙ୍କ ଘରେ ଚଢ଼ଉ କରିଛି। କିନ୍ତୁ କିଛି ପାଇନାହିଁ। ସାରା ବିଶ୍ବ ଦିଲ୍ଲୀର ଶିକ୍ଷା ଏବଂ ସ୍ବାସ୍ଥ୍ୟ ମଡେଲକୁ ପ୍ରଶଂସା କରୁଛି ଏବଂ ଏହି କାରଣ ପାଇଁ ଦିଲ୍ଲୀର ସ୍ବାସ୍ଥ୍ୟ ଏବଂ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ‌‌ରେ ଚଢ଼ଉ ହେଉଛି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଶୁକ୍ରବାର ଦିନ ଦେଶବ୍ୟାପୀ ଚଢ଼ଉ କରିବା ସମୟରେ ଆପ୍‌ ସମର୍ଥକମାନେ କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ସିସୋଦିଆଙ୍କ ବାସଭବନରେ ରୁଣ୍ଡ ହୋଇଥିଲେ। କେଜ୍ରିୱାଲ ସିସୋଦିଆଙ୍କୁ ବିଶ୍ବର ସବୁଠୁ ଭଲ ଶିକ୍ଷା ମନ୍ତ୍ରୀ କହି ପ୍ରଶଂସା କରିଛନ୍ତି। ‘ନ୍ୟୁୟର୍କ ଟାଇମ୍ସ’ର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ‘ଦିଲ୍ଲୀସ୍‌ ଏଜୁକେସନ୍‌ ରିଭୋଲ୍ୟୁସନ୍‌’କୁ ଦର୍ଶାଇ‌ କେଜ୍ରିୱାଲ କହିଛନ୍ତି, ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ସବୁଠୁ ବଡ଼ ଖବରକାଗଜର ପ୍ରଥମ ପୃଷ୍ଠାରେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଲେଖା ପ୍ରକାଶ ପାଇଛି। ସିସୋଦିଆଙ୍କ ଫଟୋ ମଧ୍ୟ ପ୍ରକାଶ ପାଇଛି। ସିବିଆଇ ଚଢ଼ଉ ସଂକ୍ରାନ୍ତରେ ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, ସେମାନେ ପ୍ରତି ରାସ୍ତାରେ ମଦ ଦୋକାନ ଖୋଲିବାପାଇଁ ଅନୁମତି ଦେଇଥିଲେ। ଏବେ ତଦନ୍ତ ଆରମ୍ଭ ହେବାପରେ ଅବକାରୀ ନୀତି ସଂକ୍ରାନ୍ତରେ ସେମାନେ ୟୁଟର୍ନ ନେଉଛନ୍ତି।

ସମ୍ବନ୍ଧିତ ଖବର