ନୂଆଦିଲ୍ଲୀ: ଆଜି ୪୨ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ନୂତନ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ଖରା-ବର୍ଷା-ଶୀତ ସହି ଆମେ ଆନ୍ଦୋଳନ କରିବୁ ବୋଲି ସ୍ପଷ୍ଟ କରି ସାରିଛନ୍ତି ଆନ୍ଦୋଳନରତ ଚାଷୀ। ଶୀତ ସାଙ୍ଗକୁ ଦିଲ୍ଲୀରେ ହୋଇଥିବା ବର୍ଷା ମଧ୍ୟ ଚାଷୀଙ୍କ ମନୋବଳକୁ ଭାଙ୍ଗିପାରି ନାହିଁ। ଏ ମଧ୍ୟରେ ଜଣେ ଯବାନ ଯାଇ ସିଂଘୁ ସୀମାରେ ଚାଷୀଙ୍କ ସେବା କରିବା ଖବର ଚର୍ଚ୍ଚାର ବିଷୟ ପ‌ାଲଟିଛି। କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲେ ମଧ୍ୟ ନିଜ ଚାକିରି ବିଷୟରେ ନ ଭାବି ଯବାନଜଣଙ୍କ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରିବା ପାଇଁ ପହଞ୍ଚିଛନ୍ତି। ଏହା ସହ ସରକାର ବିରୋଧ କଲେ ଚାକିରି ଛାଡ଼ିଦେବି ବୋଲି କହିଛନ୍ତି ।

Advertisment

ସୂଚନା ମୁତାବକ, ଜମ୍ମୁ-କଶ୍ମୀର ବରଫ ବର୍ଷା କାରଣରୁ ହଠାତ୍ ବିମାନ ବାତିଲ ହେବା ପରେ ଯବାନଜଣକ ସିଂଘୁ ସୀମାରେ ପହଞ୍ଚିଥିଲେ। ଏବେ ସେ ସେଠାରେ ରହି ଆନ୍ଦୋଳନରତ ଚାଷୀଙ୍କ ସେବା କରିବା ସହ ଲଙ୍ଗର ସେବାରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ସହ ସପ୍ତମ ପର୍ଯ୍ୟାୟ ଆଲୋଚନା ଅମୀମାଂସିତ ରହିବା ଫଳରେ ଅଚଳାବସ୍ଥା ଜାରି ରହିଛି। ତିନୋଟି ନୂଆ କୃଷି ଆଇନକୁ ଉଚ୍ଛେଦ କରିବାକୁ ସରକାରଙ୍କୁ କହି କୃଷକମାନେ ଅଡ଼ି ବସିଥିବା ବେଳେ ସରକାର ସେମାନଙ୍କୁ ଏହି ନୂଆ ଆଇନର ଲାଭ କଥା ଦର୍ଶାଉଛନ୍ତି। ଜାନୁଆରି ୮ ତାରିଖ ଦିନ କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଆଲୋଚନା ଲାଗି ପରବର୍ତ୍ତୀ ବୈଠକ ବସିବ। ତେବେ ଏ ମଧ୍ୟରେ ଆଜି କୃଷକ ଆନ୍ଦୋଳନ ସଂକ୍ରାନ୍ତରେ ଉଦ୍‌ବେଗ ପ୍ରକାଶ କରିବା ସହ ନୂଆ କୃଷି ଆଇନକୁ ଚାଲେଞ୍ଜ‌ କରି ଆଗତ ସମସ୍ତ ଆବେଦନର ଶୁଣାଣି ଜାନୁଆରି ୧୧ ତାରିଖ (ସୋମବାର) ଦିନ କରିବେ ବୋଲି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି।