ନିର୍ବାଚନର ଗୋଟାଏ ଦିନ ପୂର୍ବରୁ ଦିଲ୍ଲୀରେ ଫୁଟିଲା ଗୁଳି, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନର ଗୋଟାଏ ଦିନ ପୂର୍ବରୁ ଜାଫର୍‌ବାଦ ଅଞ୍ଚଳରେ ଫୁଟିଛି ଗୁଳି। ସେଠାରେ ୪ ରାଉଣ୍ଡ୍‌ ଗୁଳି ଚାଳନା ହୋଇଛି। ଘଟଣାର ପ୍ରତ୍ୟକ୍ଷଦର୍ଶୀ  ଜଣେ ଦୋକାନୀଙ୍କ କହିବା ମୁତାବକ୍, ଏହି ଗୁଳି ଚାଳନା ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରାଯାଇ ହୋଇନାହିଁ। ତେବେ, ଏହି ଗୁଳି ଚାଳନା କାହିଁକି ଓ କିଏ କରାଇଛି ତାହା ଜାଣିବା ପାଇଁ ଦିଲ୍ଲୀ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ନିକଟ ଅତୀତରେ ବି ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ଚାଳନା ହୋଇଥିବାର ଖବର ରହିଛି। ଯେଉଁ କାରଣରୁ ଦିଲ୍ଲୀର ପରିସ୍ଥିତି ଏବେ ବେଶ୍‌ ସମ୍ବେଦନଶୀଳ। ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନର ଗୋଟାଏ ଦିନ ପୂର୍ବରୁ ଏପରି ଗୁଳି ଚାଳନା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନାକରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ପୂର୍ବରୁ ଦିଲ୍ଲୀରେ ଅନେକ ଥର ହିଂସା ଉପୁଜିଛି। ଦିଲ୍ଲୀର ଜାମିଆ ଓ ସାହିନବାଗ୍‌ ଅଞ୍ଚଳରେ ପୂର୍ବରୁ ଗୁଳି ଚାଳନା ହୋଇଥିବାର ଖବର ରହିଛି।

AajTak

ପୂର୍ବରୁ ଦିଲ୍ଲୀର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପୂର୍ବରୁ ଜଣେ ଯୁବକ  ଗୁଳି ଚାଳନା କରିଥିବାର ଖବର ସାମ୍ନାକୁ ଆସିଥିଲା । ଏହି ଗୁଳି ଚାଳନା ଦିଲ୍ଲୀ ପୁଲିସ୍‌ ଉପସ୍ଥିତିରେ ହୋଇଥିଲା। ସେହି ଗୁଳି ଚାଳନାରେ ଜଣେ ଆହତ ହୋଇଥିଲେ। ଏହାବ୍ୟତୀୟ ଦିଲ୍ଲୀର ସାହିନବାଗ୍‌ରେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧୀ ପ୍ରଦର୍ଶନ କରାଯାଉଥିବା ସ୍ଥାନରେ କପିଲ୍‌ ନାମକ ଜଣେ ଯୁବକ ଗୁଳି ଚାଳନା କରି ଦେଶରେ କେବଳ ହିନ୍ଦୁମାନଙ୍କ କଥା ଚାଲିବ ବୋଲି କହିଥିବାର ଦେଖିବାକୁ ମିଳିଥିଲା।

ଏହି ସବୁ ଘଟଣା ବ୍ୟତୀତ ଦିଲ୍ଲୀର ଜାମିଆ ମିଲିୟା ୟୁନିଭରସିଟି ନିକଟରେ  ସ୍କୁଟିରେ ଆସିଥିବା କିଛି ଅଜଣା ବ୍ୟକ୍ତି ରାତିରେ ଗୁଳି ଚାଳନା କରିଥିଲେ। ଗୋଟାଏ ସପ୍ତାହରେ ୩ ଥର ଗୁଳି ଚାଳନା ହେବା ପରେ ଜାମିଆ ଓ ସାହିନବାଗ୍‌ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରାଜଧାନୀ ଦିଲ୍ଲୀରେ ପ୍ରାୟ ୪୦ ହଜାର ପୁଲିସ୍‌ ନିୟୋଜିତ ହୋଇଛନ୍ତି। ଇଭିଏମ୍‌ ପୁଲିଂ ବୁଥ୍‌ ପାଇଁ ପାଖାପାଖି ୧୯ ହଜାର ହୋମ୍‌ଗାର୍ଡ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର