ନୂଆଦିଲ୍ଲୀ : ଦିଲ୍ଲୀ ପରେ ଏବେ ପଂଜାବର ଅବକାରୀ ନୀତିରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଛି। ପଂଜାବରେ ଆପ୍ (ଆମ୍ ଆଦ୍ମୀ ପାର୍ଟି)ର ଅବକାରୀ ନୀତିକୁ ବିରୋଧୀ ଦଳମାନେ ପ୍ରବଳ ବିରୋଧ କରିଛନ୍ତି। ଶିରୋମଣି ଅକାଳୀ ମୁଖ୍ୟ ସୁଖବୀର ସିଂହ ବାଦଲ ଏବଂ ଅନ୍ୟ ବିରୋଧୀ ନେତାମାରେ ଆଜି ରାଜ୍ୟପାଳ ବନୱାରିଲାଲ୍ ପୁରୋହିତଙ୍କୁ ଭେଟି ଏହି ନୀତି ବିରୋଧରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ଅବକାରୀ ନୀତିରେ ୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିରୋଧୀ ଦଳ ନେତାମାନେ ଅଭିଯୋଗ କରିବା ସହ ମାମଲାର ସିବିଆଇ ଓ ଇଡି ତଦନ୍ତ ପାଇଁ ଦାବି କରିଛନ୍ତି।
ସୁଖବୀର ବାଦଲ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ଦିଲ୍ଲୀ ଅବକାରୀ ନୀତି ଭଳି ପଂଜାବରେ ଅବକାରୀ ନୀତିରେ ବିଶାଳ ଦୁର୍ନୀତି ହୋଇଛି। ଦିଲ୍ଲୀରେ ଏନେଇ ସିବିଆଇ ଏତଲା ରୁଜୁ କରିଛି । ତେଣୁ ପଂଜାବରେ ମଧ୍ୟ ଏହି ଦୁର୍ନୀତି ମାମଲାର ତଦନ୍ତ ହେବା ଉଚିତ ବୋଲି ବିରୋଧୀ ଦଳ ନେତାମାନେ ମିଳିତ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସମାଜସେବୀ ଆନ୍ନା ହଜାରେ ଅବକାରୀ ଦୁର୍ନୀତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଥିଲେ।