ନୂଆଦିଲ୍ଲୀ: ପ୍ରବଳ ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀ ଏକପ୍ରକାର ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି। ବୁଧବାର ଅପରାହ୍ନରେ ଦିଲ୍ଲୀର ବାୟୁଗୁଣବତ୍ତା ‘ସାଂଘାତିକ’ ଶ୍ରେଣୀକୁ ଖସି ଆସିଥିବା ବେଳେ ସହରରେ ଧୂଆଁକୁହୁଡ଼ି (ସ୍ମଗ୍)ର ଘନ ସ୍ତର ଦେଖିବାକୁ ମିଳିଥିଲା। କମ୍ ଭିଜିବିଲିଟି (ଦୃଶ୍ୟମାନତା) କାରଣରୁ ଜାତୀୟ ରାଜଧାନୀ ଅଭିମୁଖେ ଆସୁଥିବା କିଛି ବିମାନକୁ ଡାଇଭର୍ଟ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ସାଢ଼େ ୫ଟାରେ ଘନ କୁହୁଡ଼ି ସୃଷ୍ଟି ହେବାରୁ ସହରରେ ଦୃଶ୍ୟମାନତା ହ୍ରାସ ପାଇଥିଲା। ବୁଧବାର ଅପରାହ୍ନରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅନେକ ଅଂଚଳରେ ୪୨୦ ଟପିଥିବା ବେଳେ ସକାଳେ ଏହା ୩୭୦ରେ ରହିଥିଲା।
ବାୟୁର ଗୁଣବତ୍ତା ‘ସାଂଘାତିକ’
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଆୟା ନଗର, ଆନନ୍ଦ ବିହାର ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ବୁଧବାର ଏକ୍ୟୁଆଇ ୪୦୦ ଟପିଥିବା ବେଳେ ଅଧିକାଂଶ ସ୍ଥାନରେ ବାୟୁର ଗୁଣବତ୍ତା ଅତି ଖରାପ ରହିଛି। ଆନନ୍ଦ ବିହାରରେ ଏକ୍ୟୁଆଇ ୩୯୬ ରେକର୍ଡ କରାଯାଇଥିବା ବେଳେ, ଜାହାଙ୍ଗୀରପୁରୀରେ ୩୮୯, ଆଇଟିଓରେ ୩୭୮ ଓ ଦିଲ୍ଲୀ ବିମାନବନ୍ଦରରେ ୩୬୮ ରହିଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ୩୬୧ ରେକର୍ଡ କରାଯାଇଥିଲା। ମଧ୍ୟାହ୍ନ ସୁଦ୍ଧା ଦିଲ୍ଲୀରେ ଦୃଶ୍ୟମାନତା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ସଫଦରଜଙ୍ଗ ଭଳି ଅଞ୍ଚଳରେ ଦୃଶ୍ୟମାନତା ୪୦୦ ମିଟରକୁ ବୃଦ୍ଧି ପାଇଛି। ତେବେ ପଞ୍ଜାବ ଓ ହରିୟାଣାର କେତେକ ସ୍ଥାନରେ ଅପରାହ୍ଣ ପର୍ଯ୍ୟନ୍ତ ଦୃଶ୍ୟମାନତା କମ୍ ରହିବାର ସମ୍ଭାବନା ରହିଛି। ସହରର କେତେକ ସ୍ଥାନରେ ଦୃଶ୍ୟମାନତା ପ୍ରାୟ ଶୂନକୁ ଖସି ଆସିଛି ଏବଂ କାର୍ଗୁଡ଼ିକ ରାସ୍ତାରେ ଫଗ୍ ଲାଇଟ୍ ବ୍ୟବହାର କରୁଛନ୍ତି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଏକ ଆଡଭାଇଜରି ଜାରି କରି କୁହାଯାଇଛି ଯେ, କ୍ୟାଟ୍-୩ ସୁବିଧା ନ ଥିବା ବିମାନଗୁଡ଼ିକ କୁହୁଡ଼ି ଯୋଗୁଁ ପ୍ରଭାବିତ ହେବେ। ଯାତ୍ରୀମାନେ ବିମାନର ଅପଡେଟ୍ ସୂଚନା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।