କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତଙ୍କ ନିମ‌ନ୍ତେ ୨୦%ରୁ ଅଧିକ ଶଯ୍ୟା ସଂରକ୍ଷିତ ରଖିବାକୁ ଘରୋଇ ଡାକ୍ତରଖାନାମାନଙ୍କୁ ଦିଲ୍ଲୀ ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ଶଯ୍ୟାସଂଖ୍ୟା ୨୦%ରୁ ଅଧିକ ବଢ଼ାଇବା ନିମନ୍ତେ ଜାତୀୟ ରାଜଧାନୀରେ ଥିବା ପ୍ରାୟ ୨୨ଟି ଘରୋଇ ଡାକ୍ତରଖାନାକୁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି। ଅର୍ଥାତ୍, ଶଯ୍ୟାସଂଖ୍ୟା ୧, ୪୪୧ ରୁ ବଢ଼ାଇ ୩, ୪୫୬ କରିବାକୁ ଦିଲ୍ଲୀ ସରକାର ନିର୍ଦେଶ ଦେଇଛନ୍ତି।

ମଙ୍ଗଳବାର ଦିନ ସ୍ବାସ୍ଥ୍ୟ ବିଭାଗର ଉପସଚିବ ବିକ୍ରମ ଦତ୍ତଙ୍କ ଦ୍ବାରା ଏହି ସରକାରୀ ଆଦେଶନାମା ଜାରି କରାଯାଇଛି। ପରିମାର୍ଜିତ ଶଯ୍ୟା ଆବଣ୍ଟନ ଅନୁଯାୟୀ କୋଭିଡ୍-୧୯ ରୋଗୀମାନଙ୍କୁ ଭର୍ତ୍ତି କରି ଦିଲ୍ଲୀ କରୋନା ଆପ୍‌ରେ ତୁରନ୍ତ ସେକଥା ଅପ୍‌ଡେଟ୍ କରିବାକୁ ଏହି ଆଦେଶନାମାରେ ଘରୋଇ ଡାକ୍ତରଖାନାମାନଙ୍କୁ କୁହାଯାଇଛି।

ଏହି ସବୁ ଘରୋଇ ଡାକ୍ତରଖାନାମାନଙ୍କରେ ଅଛନ୍ତି, ଆପୋଲୋ, ଫୋର୍ଟିସ୍, ମ୍ୟାକ୍ସ୍, ହୋଲି ଫ୍ୟାମିଲି, ବତ୍ରା, ମାତା ଚନନ ଦେବୀ ଏବଂ ବିଏଲ୍‌କେ।

Image Courtesy of ET Health World

ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍ ଅନୀଲ ବୈଜଲଙ୍କୁ ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି ଯେ ସମ୍ପ୍ରତି କୋଭିଡ୍-୧୯ ଡାକ୍ତରଖାନାମାନଙ୍କରେ ୮, ୮୨୧ ହସ୍ପିଟାଲ୍ ବେଡ୍, ୫୮୨ ଆଇସିୟୁ ବେଡ୍ ଏବଂ ୪୬୮ ଭେଣ୍ଟିଲେଟର୍ ବେଡ୍ ରହିଛି।

ଏହାବ୍ୟତିରେକେ, କୋଭିଡ୍-୧୯ ରୋଗୀମାନଙ୍କ ପାଇଁ ସରକାରୀ ଡାକ୍ତରଖାନାମାନଙ୍କରେ ଅନ୍ୟୂନ ୫୦୦ ଅତିରିକ୍ତ ଶଯ୍ୟା ସଂରକ୍ଷିତ କରି ରଖାଯାଇଛି।

ବୈଜଲ୍ କହିଛନ୍ତି ଯେ ଯଦି ଜାତୀୟ ରାଜଧାନୀରେ ସଂକ୍ରମଣ ହାର ବୃଦ୍ଧି ପାଇ ଚାଲେ ଜୁଲାଇ ଶେଷ ସୁଦ୍ଧା ୮୦, ୦୦୦ ଶଯ୍ୟା ଆବଶ୍ୟକ ହେବ।

ସମ୍ବନ୍ଧିତ ଖବର