ନୂଆଦିଲ୍ଲୀ: ଅକ୍ସିଜେନ୍‌ ଅଭାବରୁ ମୃତ କୋଭିଡ୍‌-୧୯ ରୋଗୀମାନଙ୍କ ପରିଜନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବା ଲାଗି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।

Advertisment

କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରିବା ଲାଗି ‘ଆମ୍ ଆଦ୍‌ମି ପାର୍ଟି’ ସରକାର ୬ଜଣିଆ ଡାକ୍ତରୀ କମିଟି ମଧ୍ୟ ଗଠନ କରିଛି। ଏ ସଂକ୍ରାନ୍ତରେ ଗୁରୁବାର ଦିନ ଜାରି ସରକାରୀ ଆଦେଶନାମାରେ ଉଲ୍ଲେଖ ଅଛି, ନିକଟରେ ଜାତୀୟ ରାଜଧାନୀ ଅଞ୍ଚଳରେ ଅକ୍ସିଜେନ୍‌ ଅଭାବ ହେତୁ ମୃତ୍ୟୁବରଣ କରିଥିବା କୋଭିଡ୍‌-୧୯ ମାମଲାଗୁଡ଼ିକୁ ସମୀକ୍ଷା କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ଆକଳନ କରିବା ନିମନ୍ତେ ସରକାର ୬ଜଣିଆ ସଦସ୍ୟବିଶିଷ୍ଟ କମିଟି ଗଠନ କରିଛନ୍ତି।

publive-image Image Courtesy of Mint

ଡାକ୍ତରଖାନାରେ ନିୟମାନୁସାରେ ଅକ୍ସିଜେନ୍ ଦିଆଯାଉଥିଲା କି, ନାହିଁ ଉପରୋକ୍ତ କମିଟି ଯାଞ୍ଚ କରିବ ବୋଲି ଏହି ଆଦେଶନାମାରେ ଉଲ୍ଲେଖ ହୋଇଛି। ପ୍ରତି ମାମଲାରେ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ ପାଇଁ ଏହି କମିଟି ନୀତିନିୟମ ନିର୍ଦ୍ଧାରଣ କରିବ।

ଏହି କମିଟି ପ୍ରତି ସପ୍ତାହରେ ପ୍ରମୁଖ ସ୍ବାସ୍ଥ୍ୟ ସଚିବଙ୍କ ପାଖକୁ ରିପୋର୍ଟ ପଠାଇବ। ଏ ମାସ ଆଦ୍ୟରେ ଅକ୍ସଜେନ୍‌ ସଙ୍କଟ ହେତୁ ଜଣେ ବରିଷ୍ଠ ଡାକ୍ତରଙ୍କ ସମେତ ଦିଲ୍ଲୀର ବତ୍ରା ହସ୍ପିଟାଲ୍‌ରେ ୧୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏପ୍ରିଲ୍‌ ୨୨ ତାରିଖ ଦିନ ଜୟପୁର ଗୋଲ୍‌ଡେନ୍‌ ହସ୍ପିଟାଲ୍‌ରେ ମଧ୍ୟ ଅକ୍ସିଜେନ୍‌ ଅଭାବରୁ ପ୍ରାୟ ୨୦ଜଣ କୋଭିଡ୍‌-୧୯ ରୋଗୀ ପ୍ରାଣ ହରାଇଥିଲେ।