ଦୁର୍ଘଟଣାରେ ଆହତମାନଙ୍କର ଶତ ପ୍ରତିଶତ ଚିକିତ୍ସା ଖର୍ଚ୍ଚ ବହନ କରିବେ ଦିଲ୍ଲୀ ସରକାର: କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଶାସନ କ୍ଷମତାରେ ଥିବା ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆପ୍‌ ସରକାର ଆଜି ଏକ ଜନକଲ୍ୟାଣକାରୀ ଯୋଜନାର ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଏହି ଯୋଜନାରେ ଏଣିକି ଦିଲ୍ଲୀରେ ସଡ଼କ ଦୁର୍ଘଟଣାରେ ଆହତ, ଅଗ୍ନିକାଣ୍ଡରେ ଆହତ ଓ ଏସିଡ୍‌ ମାଡ଼ ଘଟଣାରେ ଆହତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସମସ୍ତ ପ୍ରକାରର ଚିକିତ୍ସା ଖର୍ଚ୍ଚ ଦିଲ୍ଲୀ ରାଜ୍ୟ ସରକାର ବହନ କରିବେ। ଉପରୋକ୍ତ ଘଟଣାଗୁଡ଼ିକରେ ଆହତ ହେଉଥିବା ବ୍ୟକ୍ତି ବିଶେଷ ସରକାରୀ ହସପିଟାଲରେ ଚିକିତ୍ସିତ ହୁଅନ୍ତୁ ଅବା ଘରୋଇ ହସପିଟାଲରେ ଚିକିତ୍ସିତ ହୁଅନ୍ତୁ, ସେମାନଙ୍କ ସମସ୍ତ ପ୍ରକାର ଚିକିତ୍ସାର ସମସ୍ତ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ। ଏଥିପାଇଁ ଚିକିତ୍ସା ବାବଦରେ ଖର୍ଚ୍ଚ ଉପରେ କୌଣସି ପ୍ରକାରର ସର୍ବୋଚ୍ଚ ଖର୍ଚ୍ଚ ସୀମା ମଧ୍ୟ ସରକାର ଧାର୍ଯ୍ୟ କରିନାହାନ୍ତି।

ମଙ୍ଗଳାବାର ଅପରାହ୍ଣରେ କେଜ୍ରିଓ୍ଵାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ସରକାରଙ୍କର ଏହି ନିଷ୍ପତ୍ତି ସର୍ବସମ୍ମତ୍ତି କ୍ରମେ ଅନୁମୋଦିତ ହେବା ପରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ଯଦିଓ ଦିଲ୍ଲୀର ସରକାରୀ ହସପିଟାଲମାନଙ୍କରେ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲା, ତଥାପି ସେମାନଙ୍କ ଆନୁସଙ୍ଗିକ ଚିକିତ୍ସାର ଶତ ପ୍ରତିଶତ ଖର୍ଚ୍ଚ ସରକାର ବହନ କରୁ ନଥିଲେ। କିନ୍ତୁ, ଆଜିର ଘୋଷଣା ପରେ ଏଣିକି ସମସ୍ତ ପ୍ରକାର ଚିକିତ୍ସା ବାବଦ ଶତ ପ୍ରତିଶତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସତ୍ୟେନ୍ଦ୍ର ଜୈନ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର