ଆପ୍‌ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦିଲ୍ଲୀ ଊପରାଜ୍ୟପାଳ ଭିକେ ସାକ୍ସେନା

ନୂଆଦିଲ୍ଲୀ: ଦିଲ୍ଲୀ ଲେଫ୍‌ଟନାଣ୍ଟ ଗଭର୍ଣ୍ଣର (ଏଲ୍‌ଜି) ଭିକେ ସାକ୍ସେନା ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଆମ୍‌ ଆଦମୀ ପାର୍ଟି ନେତା ଆତିଶି, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ ଏବଂ ଜସ୍ମିନ୍‌ ଶାହାଙ୍କ ବିରୋଧରେ ଏଲ୍‌ଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତାଙ୍କ ବିରୋଧରେ ଆପ୍‌ ନେତାଙ୍କ ଦ୍ୱାରା ଆଗତ ଏହି ଅଭିଯୋଗକୁ ଏଲଜି ଭିକେ ସାକ୍ସେନା ମିଥ୍ୟା ଏବଂ ଅପମାନଜନକ ବୋଲି ବର୍ଣ୍ଣନା କରିଛନ୍ତି।

ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଦୁଇ ଜଣଙ୍କ ବିବୃତ୍ତି ଆଧାରରେ ଆମ୍‌ ଆଦମୀ ପାର୍ଟିର ନେତାମାନେ ଏହି ଅଭିଯୋଗ କରିଛନ୍ତି। ସିବିଆଇ ତଦନ୍ତରେ ଖଦୀ ଗ୍ରାମ ଶିଳ୍ପ ଆୟୋଗ (କେଭିଆଇସି)ରେ ଦୁର୍ନୀତି ପାଇଁ ସେ ପ୍ରାଥମିକ ଭାବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଲଜିଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଏହି ମାମଲାର ମୂଲ୍ୟ ୧୭ ଲକ୍ଷ ୭ ହଜାର ଟଙ୍କା ଥିବାବେଳେ ଆପ୍‌ ନେତାଙ୍କ ତରଫରୁ ଏହା ୧୪୦୦ କୋଟି ଟଙ୍କା ବୋଲି କୁହାଯାଇଛି।ଏହି ମାମଲାରେ ସିବିଆଇ ଦୁଇ ଅଭିଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ ଏବଂ ପ୍ରଦୀପ ଯାଦବଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି।

ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏଲଜି ଭିକେ ସାକ୍ସେନାଙ୍କ ଧମକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆପ୍‌ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି, ଏହି ଘଟଣାର ସ୍ୱାଧୀନ ତଦନ୍ତ ହେବା ଉଚିତ୍‌। ସୋମବାର ଦିନ ଆମ୍‌ ଆଦମୀ ପାର୍ଟି ର ବିଧାୟକ ଦୁର୍ଗେଶ ପାଠକ ଦିଲ୍ଲୀ ବିଧାନସଭାରେ ଅଭିଯୋଗ କରିଥିଲେ ଯେ ୨୦୧୬ରେ ଖଦି ବିକାଶ ଏବଂ ଗ୍ରାମ ଶିଳ୍ପ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ଥିବା ବେଳେ ଏଲଜି ଭିକେ ସାକ୍ସେନା ତାଙ୍କ କର୍ମଚାରୀମାନଙ୍କୁ ୧,୪୦୦ କୋଟି ଟଙ୍କା ମୂଲ୍ୟର ପୁରୁଣା ନୋଟ୍‌ ବିନିମୟ କରିବାକୁ ଚାପ ପକାଇଥିଲେ। ଦୁର୍ଗେଶ ପାଠକ କହିଛନ୍ତି, ଯେତେବେଳେ ସେ କେଭିଆଇସିର ଅଧ୍ୟକ୍ଷ ଥିଲେ, ବିମୁଦ୍ରୀକରଣ ହୋଇଥିଲା ଏବଂ ସେଠାରେ କାର୍ଯ୍ୟ କରୁଥିବା ଜଣେ କ୍ୟାସିଅର୍‌ ଲିଖିତ ଭାବରେ ଦେଇଥିଲେ ଯେ ସେ ନୋଟ୍‌ ବିନିମୟ କରିବାକୁ ବାଧ୍ୟ ହୋଇଥିଲେ। ଏହା ଦୁର୍ଭାଗ୍ୟଜନକ ଯେ ତାଙ୍କୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ଆମେ ଏହାର ତଦନ୍ତ ଚାହୁଁଛୁ ବୋଲି ଆପ୍‌ ନେତାମାନେ ଦାବୀ କରିଥିଲେ।

ସମ୍ବନ୍ଧିତ ଖବର