୪୦% ଲୋକ ଡ୍ରାଇଭିଙ୍ଗ ଟେଷ୍ଟରେ ବିଫଳ ହେବାରୁ ଏହି ୫ଟି ନିୟମ କୋହଳ କଲା ଦିଲ୍ଲୀ

ନୂଆଦିଲ୍ଲୀ: ଡ୍ରାଇଭିଙ୍ଗ ଟେଷ୍ଟକୁ ନେଇ ଦିଲ୍ଲୀ ସରକାର ବଡ ପରିବର୍ତ୍ତନ କରିଛନ୍ତି। କୁହାଯାଉଛି ଯେ ଡ୍ରାଇଭିଙ୍ଗ ଟେଷ୍ଟରେ ବିଫଳ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଡ୍ରାଇଭିଂ ଟେଷ୍ଟ ନିୟମରେ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ହେ‌ଲେ ଡ୍ରାଇଭିଙ୍ଗ ଟେଷ୍ଟରେ ବିଫଳ ହେଉଥିବା ଲୋକଙ୍କ ସଂଖ୍ୟା କମ ହେବ ବୋଲି ସରକାର ଆଶା ରଖିଛନ୍ତି।

ଦିଲ୍ଲୀରେ ଡ୍ରାଇଭିଂ ପରୀକ୍ଷା ପାଇଁ ୧୫ଟି ଟ୍ରାକ ଥିବାବେଳେ ୧୩ଟି ସ୍ୱୟଂଚାଳିତ ଡ୍ରାଇଭିଂ ଟ୍ରାକ୍ ଅଛି। ପ୍ରତ୍ୟେକ ଟ୍ରାକରେ ପରୀକ୍ଷା ପାଇଁ ପ୍ରତିଦିନ ୨୦୦ଲୋକ ଉପସ୍ଥିତ ହୁଅନ୍ତି। ସେହି ସମୟରେ ପରିସଂଖ୍ୟାନ ଅନୁଯାୟୀ, ୪୦% ଲୋକ ଡ୍ରାଇଭିଙ୍ଗ ପରୀକ୍ଷାରେ ବିଫଳ ହୁଅନ୍ତି। ଏହି ସମସ୍ୟାକୁ ନଜରରେ ରଖି ଦିଲ୍ଲୀର ପରିବହନ ବିଭାଗ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା। କିଛି ଦିନର ଆଲୋଚନା ପରେ ଏହି କମିଟି ଡ୍ରାଇଭିଙ୍ଗ ପରୀକ୍ଷାରେ ବିଫଳ ହେଉଥିବା ଲୋକଙ୍କ ସଂଖ୍ୟା କମ କରିବାକୁ କିଛି ପରାମର୍ଶ ଦେଇଥିଲା। କମିଟିର ପରାମର୍ଶ ପରେ ସରକାର ଅଗଷ୍ଟ ୮ରୁ ୫ଟି ନିୟମ କୋହଳ କରିଥିବା ଜଣାପଡ଼ିଛି।

ଅଧିକାରୀଙ୍କ କହିବାନୁସାରେ, ଡ୍ରାଇଭିଂ ସମୟରେ କିଛି ଅନାବଶ୍ୟକ ନିୟମ ଯୋଗୁଁ ଡ୍ରାଇଭିଂ ପରୀକ୍ଷାରେ ବିଫଳ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇ ଚକିଆ ଡ୍ରାଇଭରଙ୍କ ପାଇଁ ଶେଷ ସର୍କଲର ମୋଟେଇ ଅନ୍ୟ ଦୁଇଟି ସର୍କଲ ତୁଳନାରେ ଛୋଟ ଥିଲା। ଏପରି ପରିସ୍ଥିତିରେ, ଗାଡ଼ିର ବାଲାନ୍ସ ବଜାୟ ରଖିବା ପାଇଁ ଲୋକଙ୍କୁ ଭୂମିରେ ପାଦ ରଖିବାକୁ ପଡୁଥିଲା ଏବଂ ଏହି କାରଣରୁ ସେମାନେ ବିଫଳ ହେଉଥିଲେ। ହେଲେ ଏବେ ଭୂମିରେ ପାଦ ଲଗାଇଲେ ମଧ୍ୟ ଲୋକଙ୍କୁ ବିଫଳ କରାଯିବ ନାହିଁ। ଯେଉଁ ୫ଟି ନିୟମରେ ପରିବର୍ତ୍ତନ କରାଯାଇଛି ସେଗୁଡ଼ିକ ହେଲା…

୧. ୟେଲୋ ଲାଇନକୁ ଛୁଇଁଲେ ଲୋକଙ୍କୁ ଫେଲ୍ କରାଯାଉଥିବା ବେଳେ ଏବେ ତାହା ହେବ ନାହିଁ।

୨. ସିଟ୍ ବେଲ୍ଟ ନଲଗାଇ ଡ୍ରାଇଭିଙ୍ଗ ଟେଷ୍ଟ ଦେଉଥିଲେ ଲୋକଙ୍କୁ ଫେଲ୍ କରାଯାଉଥିବା ବେଳେ ଏବେ ଲୋକଙ୍କୁ ଡ୍ରାଇଭିଙ୍ଗ ଟେଷ୍ଟ ଆରମ୍ଭରୁ ସିଟ୍ ବେଲ୍ଟ ଲଗାଇବାକୁ କୁହାଯିବ।

୩. ରିଭର୍ସ ଏସ ଟେଷ୍ଟ ପାଇଁ ପୂର୍ବରୁ ୧୮୦ ସେକେଣ୍ଡ ଦିଆଯାଉଥିବା ବେଳେ ଏବେ ୨୦୦ସେକେଣ୍ଡ ଦିଆଯିବ।

୪. ପାରାଲାଲ ପାର୍କିଂ ପାଇଁ ୧୨୦ ସେକେଣ୍ଡ ଦିଆଯାଉଥିବା ବେଳେ ଏବେ ୧୫୦ସେକେଣ୍ଡ ଦିଆଯିବ।

୫. ଦୁଇ ଚକିଆ ଯାନ ଚଳାଉଥିବା ସମୟରେ ଭୂମିରେ ପାଦ ଲାଗିଲେ ଏବେ ଲୋକଙ୍କୁ ଫେଲ୍ କରାଯିବ ନାହିଁ।

 

ସମ୍ବନ୍ଧିତ ଖବର