ନାଗରିକତା ଆଇନକୁ ବିରୋଧ : ହିଂସାକାଣ୍ଡ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ନାଗରିକତା ଆଇନ ପ୍ରସଙ୍ଗରେ ହିଂସାତ୍ମକ ଆନ୍ଦୋଳନ କରିଥିବା ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନାକରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନର ବିଚାର ବିଭାଗୀୟ ତଦନ୍ତ ଦାବିରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି କୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏନ.ପଟେଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଛାତ୍ରଛାତ୍ରୀମାନଙ୍କୁ ଅନ୍ତରୀଣ ସୁରକ୍ଷା ନ ଦେବାରୁ ସେଠାରେ ଉପସ୍ଥିତ ଥିବା ଓକିଲମାନେ ଖୋଲାଖୋଲି ସମାଲୋଚନା କରିବା ଦେଖାଯାଇଥିଲା । ପୁଲିସ ଲାଠିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଥିବା ଛାତ୍ରମାନଙ୍କୁ କ୍ଷତିପୂରଣ ଓ ଚିକିତ୍ସାଖର୍ଚ୍ଚ ଦେବାକୁ ଦାବିକରି ଦିଲ୍ଲୀ ହାଇକୋର୍ଟରେ ୬ଟି ମାମଲା ରୁଜ୍ଜୁ ହୋଇଥିଲା।

ନାଗରିକତା ଆଇନକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଗତ ୧୩ ତାରିଖରେ ରାସ୍ତାରେ ପ୍ରବଳ ବିରୋଧ ପ୍ରଦର୍ଶନ ଓ ହିଂସାକାଣ୍ଡ କରିବା ପରେ ପୁଲିସ କ୍ୟାମ୍ପସ ଭିତରେ ପ୍ରବେଶ କରି ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ଏହାକୁ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରତିବାଦ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ସଂସଦରେ ନାଗରିକତା (ସଂଶୋଧନ) ବିଲ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଏବେ ଆଇନରେ ପରିଣତ ହୋଇଛି । ଗତ ୧୨ ତାରିଖରେ ଏ ସଂପର୍କରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର