ପି. ଚିଦମ୍ବରମ୍‌ ସମ୍ପୃକ୍ତ ଥିବା ‘ଆଇଏନ୍ଏକ୍ସ ମିଡିଆ ମାମଲା’ରେ ‘ସିବିଆଇ’ର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ‘ଆଇଏନ୍‌ଏକ୍ସ୍‌ ମିଡିଆ’ ମାମଲାରେ ଅଭିଯୁକ୍ତମାନଙ୍କୁ ତଦନ୍ତ କାଗଜପତ୍ରର ନକଲ ଦେବାପାଇଁ ଗୃହୀତ ଆଦେଶକୁ ଚାଲେଞ୍ଜ୍‌ କରି ‘ସିବିଆଇ’ କରିଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତି ଚିଦମ୍ବରମ୍‌ ସମ୍ପୃକ୍ତ ଅଛନ୍ତି।

ଅଭିଯୁକ୍ତମାନେ ‘ମାଲଖାନା’ରେ ଥିବା ଦଲିଲ ଆଦି ତନଖି କରିପାରିବେ ବୋଲି ମାର୍ଚ ମାସରେ ଏକ ସ୍ବତନ୍ତ୍ର ଅଦାଲତ ଦେଇଥିବା ରାୟ ବିରୋଧରେ ‘ସିବିଆଇ’ କରିଥିବା ଚାଲେଞ୍ଜ୍‌ର ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରୁଥିଲେ। ସ୍ବତନ୍ତ୍ର ଅଦାଲତ କହିଥିଲେ କି, ନିରପେକ୍ଷ ବିଚାର ଉପରେ ସୁନିଶ୍ଚିତ ହେବାକୁ ତଦନ୍ତ ସମୟରେ ସଂଗ୍ରହ କରିଥିବା କାଗଜପତ୍ର କିଂବା ରେକର୍ଡ କରିଥିବା ବୟାନ ସବୁକୁ ‘ସିବିଆଇ’ ଫାଇଲ୍‌ କରିବା କିଂବା ଦାଖଲ କରିବା ଆବଶ୍ୟକ। ଅଭିଯୁକ୍ତମାନେ ମଧ୍ୟ ସେ ଦଲିଲପତ୍ରର କପି ପାଇବାକୁ ହକଦାର।

Image Courtesy of Varata Bharathi

ଏମିତି ହେଲେ ଅଭିଯୁକ୍ତମାନେ ଜାଲିଆତି କରି ପ୍ରମାଣ ବଦଳାଇ ପାରନ୍ତି ଦର୍ଶାଇ ‘ସିବିଆଇ’ ସ୍ବତନ୍ତ୍ର ଅଦାଲତଙ୍କ ଆଦେଶକୁ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲା।

୩୦୫ କୋଟି ଟଙ୍କା ବିଦେଶୀ ପାଣ୍ଠି ଗ୍ରହଣ କରିବା ଲାଗି ‘ଫରେନ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ପ୍ରମୋସନ୍‌ ବୋର୍ଡ’ (ଏଫ୍‌ଆଇପିଏଫ୍‌) ‘ଆଇଏନ୍‌ଏକ୍ସ ମିଡିଆ’କୁ ଦେଇଥିବା ‘କ୍ଲିୟରାନ୍‌ସ୍‌’ରେ ଅନିୟମିତତା ହୋଇଥିବା ଅଭିଯୋଗ କରି ୨୦୧୭ରେ ‘ସିବିଆଇ’ ‘ଏଫ୍‌ଆଇଆର୍‌’ ଦେଇଥିଲା। ସେତେବେଳେ ‘ଉପା’ ସରକାରରେ ପି. ଚିଦମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ।

‘ସିବିଆଇ’ ମଧ୍ୟ ଅଭିଯୋଗ କରିଥିଲା ଯେ, ଆୟକର ବିଭାଗ ସହ ଥିବା ଏକ ସମସ୍ୟାର ସମାଧାନ ପାଇଁ କାର୍ତି ଚିଦମ୍ବରମ୍‌ଙ୍କ ସହ ସମ୍ପୃକ୍ତ ଥିବା ଏକ ସଂସ୍ଥାନକୁ ‘ଆଇଏନ୍‌ଏକ୍ସ୍‌ ମିଡିଆ’ ବିନିଯୋଗ କରି ଫାଇଦା ହାସଲ କରିଥିଲା।

ସମ୍ବନ୍ଧିତ ଖବର