ଲାଞ୍ଚ ଅଭିଯୁକ୍ତ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ୨୮ ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଲାଞ୍ଚ ନେବା ଅଭିଯୋଗରେ ଅଭିଯୁକ୍ତ ହୋଇ ଏବେ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ ଛୁଟିରେ ଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତିି ପ୍ରଦାନ କରିଛନ୍ତି। ଲାଞ୍ଚ ଅଭିଯୁକ୍ତ ସିବିଆର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନେ ତାଙ୍କୁ ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଗିରଫ କରିପାରିବେ ନାହିଁ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ ଏକ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

ସିବିଆର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ତାଙ୍କ ବିରୋଧରେ ଲାଞ୍ଚ ଗ୍ରହଣକୁ ନେଇ ଯେଉଁ ଏଫ୍‌ଆଇଆର୍‌ ଆଗତ କରିଛି ତାକୁ ଖାରଜ କରିଦେବା ଅନୁରୋଧ କରି ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଆଗତ କରିଥିଲେ। ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ମାମଲାର କେସ୍‌ ଡାଇରି କୋର୍ଟରେ ଉପସ୍ଥାପିତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଅସ୍ଥାନାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏବଂ ତାଙ୍କ ବିରୋଧରେ ବହୁ ପ୍ରମାଣ ମିଳିଥିବା ଏବେ ତଦନ୍ତକାରୀ ଅଧିକାରୀମାନଙ୍କ ହାତରେ ପଡ଼ିଥିବା କାରଣରୁ ଏବେ ଏହି ମାମଲାର କେସ୍‌ ଡାଇରି କୋର୍ଟରେ ଉପସ୍ଥାପିତ କରାଯାଇ ପାରିବ ନାହିଁ ଏବଂ ଏଥିପାଇଁ ଆଉ ଅଧିକ ସମୟର ଆବଶ୍ୟକତା ରହିଛି ବୋଲି ସିବିଆଇ ଓକିଲ କୋର୍ଟଙ୍କୁ କହିଥିଲେ। ଏହା ଶୁଣିବା ପରେ କୋର୍ଟ ଅସ୍ଥାନାଙ୍କ ଗିରଫଦାରୀ ଉପରେ ଅନ୍ତରୀଣ ରହିତାଦେଶ ଜାରିକରି ତାଙ୍କୁ ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ସିବିଆଇର ତଦନ୍ତକାରୀ ଅଧିକାରୀ ଗିରଫ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର