ମୋଦୀ-ଶାହାଙ୍କୁ ସମାଲୋଚନା ପଡ଼ିଲା କି ମହଙ୍ଗା? ହାତରୁ ଗଲା ବଙ୍ଗଳା; ଆଗକୁ ଆଉ ପଳାଇଯିବ କି ଜେଡ୍‌ ସୁରକ୍ଷା !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ଖୋଲା ସମାଲୋଚନା ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ବେଦଖଲ ହେବାକୁ ଯାଇଛନ୍ତି ସରକାରୀ ବଙ୍ଗଳାରୁ ଏବଂ ଆଗକୁ ପାଉଥିବା ଜେଡ୍‌ ସୁରକ୍ଷା ପ୍ରତ୍ୟାହୃତ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

ଦିଲ୍ଲୀର ପୂର୍ବ ନିଜାମୁଦ୍ଦିନ ଅଞ୍ଚଳରେ ତାଙ୍କର ନିଜସ୍ୱ ଘର ରହିଥିବା ବେଳେ; ତାଙ୍କୁ କେଉଁ ଆଧାରରେ ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇ ପାରିବ ବୋଲି ଖୋଦ୍‌ କେନ୍ଦ୍ର ସରକାରଙ୍କର ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ସଞ୍ଜୟ ଜୈନ ଗୃହ ମନ୍ତ୍ରାଳୟ (ଏମଏଚଏ) ତରଫରୁ ଦିଲ୍ଲୀ ହାଇକୋର୍ଟରେ ପ୍ରଶ୍ନ କରିବା ସହ କହିଛନ୍ତି ଯେ ମନ୍ତ୍ରୀ ପରିଷଦରେ ଅନେକ ମନ୍ତ୍ରୀ ଅଛନ୍ତି ଯେଉଁମାନେ ଆବାସ ଆବଶ୍ୟକ କରନ୍ତି। ଦିଲ୍ଲୀ ହାଇକୋର୍ଟ ଏଏସଜି ସଞ୍ଜୟ ଜୈନଙ୍କର ଏ ଯୁକ୍ତିକୁ ଗ୍ରହଣ କରି ବୁଧବାର ଭାରତୀୟ ଜନତା ପାର୍ଟି ନେତା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ସରକାରୀ ଆବାସ ଖାଲି କରିବାକୁ ଛଅ ସପ୍ତାହ ସମୟ ପ୍ରଦାନ କରିଛନ୍ତି।

ଏଏସଜି ସଞ୍ଜୟ ଜୈନ ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ସୁରକ୍ଷା ବିପଦ ହେତୁ ତାଙ୍କୁ ପାଞ୍ଚ ବର୍ଷ ପାଇଁ ସରକାରୀ ଆବାସ ଆବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ, ସେ ରାଜ୍ୟସଭା ସାଂସଦ ହୋଇଥିଲେ ଏବଂ ତାଙ୍କ ସହିତ ଆବାସ ରହିଲା। ସାଂସଦ ଭାବରେ ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୨୦୨୨ରୁ ଶେଷ ହୋଇଯାଇଛି ଏବଂ ସୁରକ୍ଷା କାରଣ ଦର୍ଶାଇ ପାଞ୍ଚ ବର୍ଷର ଅବଧି ଶେଷ ହେବା ପରେ ସେ ସରକାରୀ ଆବାସକୁ ପୁନଃ ଆବଣ୍ଟନ କରିବାକୁ ଚେଷ୍ଟା କରୁଛନ୍ତି। ତେବେ, ଏଏସଜି ଜୈନ ଅଦାଲତଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଏ ପରିସ୍ଥିତିରେ ସରକାରୀ ଆବାସକୁ ଆଉ ତାଙ୍କୁ ପୁନଃ ଆବଣ୍ଟନ କରିପାରିବେ ନାହିଁ ବରଂ ସୁରକ୍ଷା ଏଜେନ୍‌ସିମାନେ ନିଜାମୁଦ୍ଦିନ ପୂର୍ବରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ବ୍ୟକ୍ତିଗତ ବାସଭବନରେ ସେମାନଙ୍କର ସେବା ଦେବେ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୋବନ୍ତ ବର୍ମା ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଛଅ ସପ୍ତାହ ମଧ୍ୟରେ ତାଙ୍କ ସରକାରୀ ବଙ୍ଗଳା ଇଷ୍ଟେଟ ଅଧିକାରୀଙ୍କୁ ଫେରାଇବା ସୁନିଶ୍ଚିତ କରନ୍ତୁ।  ଆବେଦନକାରୀଙ୍କ ନିଜସ୍ୱ ବ୍ୟକ୍ତିଗତ ଘର ଯେଉଁଠାକୁ ସେ ସ୍ଥାନାନ୍ତରିତ ହେବେ ସେଠାରେ ସରକାର ତାଙ୍କର ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରନ୍ତୁ। ଆବେଦନକାରୀ ସ୍ୱାମୀ ଜଣେ ଜେଡ୍‌ ବର୍ଗର ସୁରକ୍ଷାକାରୀ।

ଉଲ୍ଲେଖଯୋଗ୍ୟ, ସ୍ୱାମୀଙ୍କ ପକ୍ଷରୁ ଆଗତ ଆବେଦନର ସମାଧାନ କରିବା ସମୟରେ ହାଇକୋର୍ଟ ଆଜି ଏହି ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର