ଅଵିଵାହିତ ମହିଳାଙ୍କ ଗର୍ଭପାତକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗର୍ଭପାତ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି | ଗର୍ଭପାତ ଆଇନର ସଂଶୋଧନ ସହ ଅଵିଵାହିତ ମହିଳାଙ୍କ ଆଇନ ମୁତାବକ ଗର୍ଭପାତ କରିବାର ଅନୁମତି ପ୍ରଦାନ କରିବା ପ୍ରସଙ୍ଗରେ ନୋଟିସ ଜାରି କରିଛନ୍ତି |

ପିଟିସନ୍‌ରେ କୁହାଯାଇଥିଲା ଯେ ଗର୍ଭପାତର ସମୟସୀମା ୨୦ ସପ୍ତାହରୁ ବୃଦ୍ଧି କରାଯାଇ ୨୪ ବା ୨୬ ସପ୍ତାହ କରାଯାଉ | ବର୍ତ୍ତମାନର ଆଇନ ଅନୁସାରେ ୨୦ ସପ୍ତାହରୁ ଅଧିକ ଦିନର ହୋଇଥିବା ଭ୍ରୂଣର ଗର୍ଭପାତ କରାଯାଇପାରିବ ନାହିଁ | ମୁଖ୍ୟ ନ୍ୟାୟାଧୀଶ ରାଜେନ୍ଦ୍ର ମେନନ ଓ ନ୍ୟାୟମୂର୍ତ୍ତି ବ୍ରୁଜେସ ସେଠିଙ୍କ ଖଣ୍ଡପୀଠ ଅମିତ ସାହାଣୀ ନାମକ ବ୍ୟକ୍ତିଙ୍କ ପିଟିସନ୍‌କୁ ନେଇ କେନ୍ଦ୍ର ସରକାର ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି | ଯାଚିକା ଉପରେ ଆସନ୍ତା ଶୁଣାଣି ଅଗଷ୍ଟ ୬ ରେ ହେବ |

ଜନହିତ ପିଟିସନ୍‌ରେ କୁହାଯାଇଥିଲା ଯେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଆଇନ ମନ୍ତ୍ରାଳୟ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେନ୍ସି ଆକ୍ଟ-୧୯୭୧ ର ସଂଶୋଧନ କେବେ କରାଯିବ | ଏହି ଆଇନ ଅନୁଯାୟୀ ୨୦ ସପ୍ତାହର ଅଧିକ ଭ୍ରୂଣକୁ ନଷ୍ଟ କରାଯିବାର ଅନୁମତି ନାହିଁ | ଏହି ଆଇନ ସଂଶୋଧନର ପ୍ରସ୍ତାବ ୨୦୧୪ରେ ଦିଆଯାଇଥିଲା |

ଆଇନ କେବଳ ଦୁଷ୍କର୍ମ ଓ ଗର୍ଭ ନିରୋଧରେ ଅସଫଳ ହୋଇଥିବା ମାମଲାରେ କାର୍ଯ୍ୟକାରୀ ହୋଇଥାଏ | କିନ୍ତୁ ଅଵିଵାହିତ ଯୁବତୀ ଓ ବିଧବାଙ୍କୁ ଗର୍ଭପାତ ପ୍ରସଙ୍ଗରେ ନିରବ ରହିଛି | ଏହି ମହିଳାଙ୍କୁ ଗର୍ଭପାତ କରିବାକୁ ଅଧିକାର ଦେବାକୁ ଯାଚିକାରେ କୁହାଯାଇଛି |

ସମ୍ବନ୍ଧିତ ଖବର