କରୋନା ଟିକା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ଦିଲ୍ଲୀ ହାଇକୋର୍ଟ

କହିଲେ, ଦେଶର ଲୋକଙ୍କୁ ଟିକା ନଦେଇ ବିଦେଶକୁ ରପ୍ତାନୀ ହେଉଛି କାହିଁକି?

ନୂଆଦିଲ୍ଲୀ: ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି ଯେଉଁଥିରେ ଦେଶରେ ୬୦ ବର୍ଷରୁ ଅଧିକ ବ୍ୟକ୍ତି ଓ ୪୫ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କର ଟିକାକରଣ ଚାଲିଛି । କୋୱିନ୍ ଆପରେ ରେଜିଷ୍ଟ୍ରେସନ କରି ବା ଅନସ୍ପଟ୍ ରେଜିଷ୍ଟ୍ରେସନ କରି ସରକାରୀ ଓ ବେସରକାରୀ ହସ୍ପିଟାଲରେ ଲୋକେ ଟିକା ନେଉଛନ୍ତି । ସରକାରୀ ଡାକ୍ତରଖାନାରେ ମାଗଣା ଓ ବେସରକାରୀ ଡାକ୍ତରଖାନାରେ ୨୫୦ ଟଙ୍କା ଦେଇ ଟିକା ନେଉଛନ୍ତି ଲୋକେ । କିନ୍ତୁ ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ବିଦେଶକୁ ରପ୍ତାନି କରୁଥିବା କରୋନା ଟିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଯେତେବେଳେ ଦେଶରେ କରୋନା ପାଇଁ ଜରୁରୀକାଳିନ ପରିସ୍ଥିତିରେ ଟିକାର ଆବଶ୍ୟକତା ରହିଛି, ସେହି ସମୟରେ ଦେଶରୁ କରୋନା ଟିକା ବିଭିନ୍ନ ଦେଶକୁ ଦାନ କରାଯାଉଛି ଓ ବିଭିନ୍ନ ଦେଶକୁ ବିକ୍ରୟ କରାଯାଉଛି । ହାଇକୋର୍ଟ କହିଛନ୍ତି ଭାରତର ସମସ୍ତ ବ୍ୟକ୍ତିଙ୍କ ପାଖକୁ ଏବେ ଯାଏଁ କରୋନା ଟିକା ପହଂଚିପାରିନାହିଁ । କୋଭିଡ ବିରୁଦ୍ଧରେ ଯେଉଁ ଟିକାକରଣ ଚାଲିଛି ସେଥିରେ କେନ୍ଦ୍ର ସରକାର କଡା ନଜର ରଖିବା ଦରକାର । ବୟସ କମ୍ କିମ୍ବା ଅନ୍ୟ ରୋଗ ନ ହୋଇଥିବା କୌଣସି ବ୍ୟକ୍ତି ପୂର୍ଣ୍ଣ ଭାବେ କରୋନାରୁ ବଂଚିତ ବୋଲି କୁହାଯାଇନପାରେ ।

କୋର୍ଟ କହିଛନ୍ତି ଦେଶରେ ଟିକା ତିଆରି କରୁଥିବା ଦୁଇଟି କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ପାଖରେ କ୍ଷମତା ରହିଛି ଅତ୍ୟଧିକ ପରିମାଣରେ ଟିକା ଉତ୍ପାଦନ କରିବାର, କିନ୍ତୁ ଏହି ଦୁଇ କମ୍ପାନୀ ତାର ପୂର୍ଣ୍ଣ ଭାବେ ଉପଯୋଗ କରୁନାହାନ୍ତି । କୋର୍ଟଙ୍କ ମତରେ ଆମେ ସମସ୍ତ ଟିକାକୁ ଦେଶରେ ଉପଯୋଗ କରୁନାହୁଁ କିନ୍ତୁ ବିଦେଶକୁ ରପ୍ତାନି କରୁଛୁ । କୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି ଯେ ସରକାର କଣ କୋର୍ଟ ପରିସରରେ ବୟସ ଭେଦରେ କରୋନା ଟିକାକରଣ କରିପାରିବେ କି ?

ତେବେ ଦିଲ୍ଲୀ ହାଇକୋର୍ଟରେ କୋର୍ଟ ପରିସରରେ ଟିକାକରଣ ପାଇଁ ଗୋଟିଏ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଯାହାର ଶୁଣାଣି ସମୟରେ କୋର୍ଟ ଏପରି କହିଛନ୍ତି । ଏହି ପିଆଇଏଲରେ ଲେଖାଯାଇଥିଲା ଯେ ଦିଲ୍ଲୀ ବାର କାଉନସିନ ଆସୋସିଏସନ ଭିତରେ ଆସୁଥିବା ସମସ୍ତ ଜଜ୍, କୋର୍ଟର କର୍ମଚାରୀ, ଓକିଲଙ୍କୁ ମଧ୍ୟ ସମ୍ମୁଖ ଯୋଦ୍ଧା ହିସାବରେ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ । ଏଥିରେ ବୟସ ସୀମା ମଧ୍ୟ ନ ରଖାଯାଉ ।

 

ସମ୍ବନ୍ଧିତ ଖବର