ନୂଆଦିଲ୍ଲୀ : ପୋକ୍ସୋ ମାମଲାରେ ବଡ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି କହିଛନ୍ତି ଯେ ନାବାଳିକା ଙ୍କ ଦ୍ୱାରା 'ଶାରୀରିକ ସମ୍ପର୍କ' ଶବ୍ଦର ବ୍ୟବହାରକୁ ଯୌନ ନିର୍ଯାତନା ବୋଲି ବିବେଚନା କରାଯାଇପାରିବ ନାହିଁ। ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପୀଡ଼ିତା ନିଜ ଇଚ୍ଛାରେ ଅଭିଯୁକ୍ତଙ୍କ ସହ ଯାଇଥିବା ବେଳେ ତାଙ୍କୁ କିପରି ଯୌନ ନିର୍ଯାତନା ଦିଆଗଲା, ତାହା ନିମ୍ନ ଅଦାଲତ କେମିତି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ।

Advertisment

ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଶାରିରୀକ ସଂପର୍କ, କିମ୍ବା ପାରସ୍ପରିକ ସମ୍ପର୍କରୁ ଯୌନ ନିର୍ଯ୍ୟାତନା  ପରି ଅଭିଯୋଗ  ତଥ୍ୟପ୍ରମାଣ ମାଧ୍ୟମରେ ପ୍ରମାଣିତ ହେବା ଆବଶ୍ୟକ ଏବଂ ଏହାକୁ କେବଳ ଏକ ଅନୁମାନ ଭାବରେ ବାହାର କରାଯାଇପାରିବ ନାହିଁ।

ଡିସେମ୍ବର ୨୩ତାରିଖରେ ଦେଇଥିବା ରାୟରେ ଅଦାଲତ କହିଛନ୍ତି ଯେ ପୀଡ଼ିତାଙ୍କ ବୟସ ୧୮ ବର୍ଷରୁ କମ୍ ହୋଇଥିବାରୁ ଯୌନ ନିର୍ଯାତନା ଘଟିଛି ବୋଲି ନିର୍ଣ୍ଣୟ କରାଯାଇପାରିବ ନାହିଁ। ଶୁଣାଣି ସମୟରେ ପୀଡ଼ିତା 'ଯୌନ ସମ୍ପର୍କ' ଶବ୍ଦ ବ୍ୟବହାର କରିଥିଲେ ମଧ୍ୟ ସେ କେଉଁ ଅର୍ଥରେ ଏହି ଶବ୍ଦ ବ୍ୟବହାର କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ଖଣ୍ଡପୀଠ ରାୟରେ କହିଛନ୍ତି ଯେ ପୋକ୍ସୋ ଆଇନର ଧାରା ୩ କିମ୍ବା ଆଇପିସିର ଧାରା ୩୭୬ ଅନୁଯାୟୀ ଅପରାଧ ପ୍ରମାଣିତ କରିବା ପାଇଁ ସଂପର୍କ ସ୍ଥାପନ' ଶବ୍ଦର ବ୍ୟବହାର ଯଥେଷ୍ଟ ନୁହେଁ। ପୋକ୍ସୋ ଆକ୍ଟ ଅନୁଯାୟୀ ଯଦି ଝିଅଟି ନାବାଳିକା ଥାଏ ତେବେ ସହମତି କହିବା ଯଥେଷ୍ଟ ନଥିଲେ ମଧ୍ୟ 'ଶାରୀରିକ ସମ୍ପର୍କ' ଶବ୍ଦକୁ ଯୌନ ନିର୍ଯାତନା ତ ଦୂରର କଥା ଯୌନ ସମ୍ପର୍କ ମଧ୍ୟ କୁହାଯାଇପାରିବ ନାହିଁ ।