ସ୍ମୃତି ଇରାନୀଙ୍କ ଝିଅ ସହ ଜଡ଼ିତ ଟ୍ବିଟ ତୁରନ୍ତ ହଟାଅ; ପବନ ଖେଡାଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ବାରା କରାଯାଇଥିବା ମାନହାନୀ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ଜୟରାମ ରମେଶ ଏବଂ ପବନ ଖେଡାଙ୍କୁ ସମନ ପଠାଇଛନ୍ତି। କେବଳ ଏତିକି ନୁହେଁ, ସ୍ମୃତି ଇରାନୀଙ୍କ ଝିଅ ବେଆଇନ ଲାଇସେନ୍ସ ସହିତ ବାର୍ ଚଳାଉଥିବା ଅଭିଯୋଗ କରି କରାଯାଇଥିବା ଟ୍ବିଟକୁ କୋର୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ତଳେ ଉଭୟ ନେତା ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀଙ୍କ ଝିଅ ବେଆଇନ ଲାଇସେନ୍ସ ସହ ଗୋଆରେ ବାର ଚଳାଉଥିବା ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ଏହି ପୂରା ଘଟଣା ସେତେବେ‌େଳେ ସାମ୍ନାକୁ ଆସିଲା ଯେତେବେଳେ ଗୋଆର ଏକ୍ସାଇଜ୍ କମିଶନର ନିୟମ ଏବଂ ପ୍ରକ୍ରିୟାକୁ ଅବମାନନା କରି ମଦ ଲାଇସେନ୍ସ ନେଇ ‘ସିଲି ସୋଲ୍ସ କାଫେ ଏବଂ ବାର୍’କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏହି ମାମଲାରେ ଦାଖଲ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ବାରରେ ରେଷ୍ଟୁରାଣ୍ଟ ଲାଇସେନ୍ସ ନଥିଲେ ମଧ୍ୟ ବାରକୁ ମଦ ଲାଇସେନ୍ସ ପ୍ରଦାନ କରାଯାଇଛି। ଏହା ସହ ମେ’ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମରେ ଜୁନ୍ ମାସରେ ମଦ ଲାଇସେନ୍ସ ନବୀକରଣ କରାଯାଇଛି। କାରଣ ଦର୍ଶାଅ ନୋଟିସ କଥା ସାମ୍ନାକୁ ଆସିବା ପରେ କଂଗ୍ରେସ ଇରାନୀଙ୍କ ଝିଅକୁ ଟାର୍ଗେଟ କରିଥିଲା।

ଜୁଲାଇ ୨୩ରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପବନ ଖେଡା ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗୋଆରେ ଥିବା ରେସ୍ତୋରାଁଟି ସ୍ମୃତି ଇରାନୀଙ୍କର ୧୮ବର୍ଷର ଝିଅଙ୍କ ନାମରେ ଚାଲିଛି। ଏହା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ, ତୁରନ୍ତ ସ୍ମୃତି ଇରାନୀ ଇସ୍ତଫା ଦିଅନ୍ତୁ। ଆରଟିଆଇରୁ ସୂଚନା ପାଇବା ପରେ ଇରାନୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛୁ। ସେ ଗୋଆରେ ଏକ ରେଷ୍ଟୁରାଣ୍ଟ ଚଳାଉଛନ୍ତି ଏବଂ ୧୩ମାସ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ନାମରେ ରେଷ୍ଟୁରାଣ୍ଟର ନକଲି ଲାଇସେନ୍ସ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର