ନୂଆଦିଲ୍ଲୀ: ‘କର୍ୱାଚୌଥ୍’ରେ ଉପବାସ କରିବା ଓଷା କରୁଥିବା ଲୋକ ଉପରେ ନିର୍ଭର କରେ, ସ୍ତ୍ରୀ ଉପବାସ ନ କଲେ ସ୍ବାମୀ ତାହାକୁ ‘ନିଷ୍ଠୁରତା’ ବୋଲି କହିପାରିବେ ନାହିଁ ବୋଲି ଛାଡ଼ପତ୍ର ମଞ୍ଜୁର ହୋଇଥିବା ଏକ ଦମ୍ପତିଙ୍କ ମାମଲାକୁ କାଏମ ରଖି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ସ୍ତ୍ରୀ ନିଷ୍ଠୁରତା କରୁଛନ୍ତି ବୋଲି ଅଭିଯୋଗ କରି ସ୍ବାମୀଜଣକ ପୂର୍ବରୁ ଅଦାଲତରେ ଅଭିଯୋଗ କରିଥିଲେ। ଅଦାଲତ ମଧ୍ୟ ସ୍ବାମୀଙ୍କୁ ଛାଡ଼ପତ୍ର ମଞ୍ଜୁର କରିଥିଲେ। କିନ୍ତୁ, ଛାଡ଼ପତ୍ର ମଞ୍ଜୁର କରିଥିବା ଟ୍ରାଏଲ୍ କୋର୍ଟଙ୍କ ରାୟକୁ ସ୍ତ୍ରୀ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ।
ଟ୍ରାଏଲ୍ କୋର୍ଟରେ ସ୍ବାମୀ କରିଥିବା ନିଷ୍ଠୁରତା ଅଭିଯୋଗରେ ଦର୍ଶାଇଥିଲେ ଯେ, ‘କର୍ୱାଚୌଥ୍’ ଦିନ ସ୍ତ୍ରୀ ଉପବାସ କରିବାକୁ ମନା କରିଦେଲେ। ତା’ ଛଡ଼ା ସାମାନ୍ୟ କଥାରେ ସ୍ତ୍ରୀ ଚିଡ଼ି ଯାଇ ପରିବାର ଲୋକଙ୍କ ସହିତ ଝଗଡ଼ା କରୁଛନ୍ତି। ମୋବାଇଲ୍ ଫୋନ୍ ‘ରିଚାର୍ଜ’ କରି ନ ଦେବାରୁ ‘କର୍ୱାଚୌଥ୍’ରେ ଉପବାସ କରିବ ନାହିଁ ବୋଲି କହିଲେ।
ଏ ପ୍ରସଙ୍ଗରେ ହାଇକୋର୍ଟ କହିଲେ, ଭିନ୍ନ ଭିନ୍ନ ଧର୍ମବିଶ୍ବାସ ପ୍ରଚଳିତ ଥିବାରୁ କେତେକ ଓଷାବ୍ରତରେ ନିୟମ ନ ମାନିବା ‘ନିଷ୍ଠୁରତା’ ନୁହେଁ। କିନ୍ତୁ, ଏକତ୍ର ଥାଇ ସୁଦ୍ଧା ପ୍ରଥାନୁଯାୟୀ ଉପବାସ ନ କରିବା ସ୍ବାମୀଙ୍କ ପ୍ରତି ଅସମ୍ମାନ।
ଅଭିଯୋଗରେ ସ୍ବାମୀ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୧ ଏପ୍ରିଲ୍ ମାସରେ ତାଙ୍କର ମେରୁହାଡ଼ ଦବିଗଲା। ସେତେବେଳେ ସ୍ତ୍ରୀ ମଥାରୁ ସିନ୍ଦୂର ପୋଛି, ହାତରୁ ଚୁଡ଼ି ଭାଙ୍ଗି ଧଳାଶାଢ଼ି ପିନ୍ଧି ବିଧବା ହୋଇଗଲା ବୋଲି କହିଲେ।
କିନ୍ତୁ, ଏଭଳି ଅଭିଯୋଗକୁ ବିଚାରପତି ସୁରେଶ କୁମାର କୈତ୍ ଓ ନୀନା ବଂଶଲ କୃଷ୍ଣାଙ୍କ ଖଣ୍ଡପୀଠ ବୈବାହିକ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିବାର ଚରମ ନିଦର୍ଶନ ବୋଲି କହିବା ସହିତ ସ୍ବାମୀଙ୍କ ପ୍ରତି ଚରମ ନିଷ୍ଠୁରତା ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୯ରେ ଦୁହିଁଙ୍କର ବିବାହ ହୋଇଥିଲା ଏବଂ ୨୦୧୧ରେ ସେମାନଙ୍କର ଝିଅଟିଏ ଜନ୍ମିଥିଲା। କିନ୍ତୁ, ଝିଅ ଜନ୍ମ ହେବା ଆଗରୁ ସ୍ତ୍ରୀ ଶାଶୂଘର ଛାଡ଼ି ବାପଘରକୁ ଚାଲିଯାଇଥିଲା। ତେଣୁ, ସ୍ବାମୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।