ଅର୍ଥ ହେରଫେର ମାମଲାରେ ଗିରଫ ହେ‌ଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଗିରଫ ହେ‌ଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଅର୍ଥ ହେରଫେର ମାମଲାରେ ଆଜି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଇଡି କରିଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ୨୦୧୫-୧୬ ମସିହାରେ ଯେତେବେଳେ ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ, ସେତେବେଳେ ତାଙ୍କ ମାଲିକାନାରେ ଥିବା ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ କମ୍ପାନି ହାୱାଲା ନେଟୱାର୍କ ମାଧ୍ୟମରେ ସେଇ କମ୍ପାନିରୁ ୪.୮୧ କୋଟି ଟଙ୍କା ନେଇଥିଲା। ୨୦୧୭ରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ କରି ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ସତ୍ୟେନ୍ଦ୍ର ଜେନାଙ୍କ ବିରୋଧରେ ୮ବର୍ଷ ଧରି ଏକ ଜାଲ୍ ମାମଲା ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଇଡି ତାଙ୍କୁ ଅନେକ ଥର ଡକାଇଛି। କିଛି ସମୟ ପରେ ଇଡି ତାଙ୍କୁ ଡାକିବା ବନ୍ଦ କରି ଦେଇଥିଲା, ଯେହେତୁ ତାଙ୍କ ବିରୋଧରେ କିଛି ପ୍ରମାଣ ନଥିଲା। ବର୍ତ୍ତମାନ, ଇଡି ତାଙ୍କୁ ଗିରଫ କରିଛି କାରଣ ସତ୍ୟେନ୍ଦ୍ର ଜୈନ୍ ହିମାଚଳ ପ୍ରଦେଶର ନିର୍ବାଚନ ଦାୟିତ୍ୱରେ ଅଛନ୍ତି। ହିମାଚଳ ପ୍ରଦେଶରେ ବିଜେପି ହାରିବା ଡରରେ ସତ୍ୟେନ୍ଦ୍ର ଜୈନଙ୍କୁ ଆଜି ଗିରଫ କରାଇଛି। ଏହାଫଳରେ ସତ୍ୟେନ୍ଦ୍ର ହିମାଚଳ ଯାଇପାରିବେ ନାହିଁ ଏବଂ ବିଜେପିକୁ ଜିତିବା ସହଜ ହେବ।

ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ପଞ୍ଜାବ ନିର୍ବାଚନ ପୂର୍ବରୁ ଇଡି ଯୋଜନାବଦ୍ଧ ଭାବେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିବା ପାଇଁ ଯୋଜନା କରୁଛି । ତେବେ ଆମ୍‌ ଆଦ୍‌ମୀ ପାର୍ଟି ଏଭଳି ଗିରଫଦାରୀକୁ ଭୟ କରେନାହିଁ ବୋଲି କେଜ୍ରିୱାଲ କହିଥିଲେ। ଆମେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଭଳି ବିଳାପ କରିବୁ ନାହିଁ ବୋଲି ସେ କହିଥିଲେ। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଆପ୍‌ ନେତାଙ୍କ ବିରୋଧରେ ସକ୍ରିୟ ହୋଇଉଠିଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଥିଲେ।

ଜାନୁଆରିରେ କେଜ୍ରିୱାଲ ଏଭଳି ଦାବି କରିଥିବା ବେଳେ ଏବେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ସମ୍ବନ୍ଧିତ ଖବର