ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ସଂକ୍ରମିତ; ଦିନକ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଯୋଗ ଦେଇଥିଲେ ଏକ ବୈଠକରେ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌)ର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନ ଆଜି ଦ୍ୱିତୀୟ ଥର ପାଇଁ ନିଜର ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ ପାଇଁ ନିଜର ନମୁନା ପରୀକ୍ଷା କରାଇବା ପରେ ସେ କରୋନା ପଜିଟିଭ୍‌ ଥିବା ଜାଣିବାକୁ ମିଳିଛି। ସଂପ୍ରତି ଅସୁସ୍ଥ ଥିବା ଶ୍ରୀ ଜୈନ୍‌ଙ୍କର ଚିକିତ୍ସା ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଜାରି ରହିଛି।

ତାଙ୍କ ଶରୀରରେ ପ୍ରବଳ ଜ୍ୱର ଏବଂ ଅମ୍ଳଜାନ ସ୍ତରରେ ହଠାତ୍‌ ହ୍ରାସ ପାଇବା ପରେ ତାଙ୍କୁ ମଙ୍ଗଳବାର ଦିନ ଚିକିତ୍ସା ପାଇଁ ଚିକିତ୍ସା ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏସଂପର୍କରେ ସେ ନିଜେ ଟୁଇଟ କରି ସୂଚନା ଦେଇଥିଲେ। ୫୫ ବର୍ଷ ବୟସ୍କ ଜୈନଙ୍କର ମଙ୍ଗଳବାର କୋଭିଡ-୧୯ ପାଇଁ ପରୀକ୍ଷା କରାଯାଇଥିଲା କିନ୍ତୁ ତାଙ୍କ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେବେ, ଆଜି ଆଉଥରେ ତାଙ୍କ ନମୁନା ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ୍‌ ଆସିଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ଜୈନ୍‌ କରୋନା ପଜିଟିଭ୍‌ ଥିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଚିନ୍ତା ପ୍ରକଟ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ତେବେ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଆଜି କରୋନା ପଜିଟିଭ୍‌ ରୂପେ ଚିହ୍ନଟ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜୈନ୍‌ ଜୁନ୍‌ ୧୪ରେ, କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଅନୁଷ୍ଠିତ ଏକ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ, ଗୃହ ସଚିବ ଅଜୟ ଭାଲା, ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ, ଦିଲ୍ଲୀର ମୁଖ୍ୟ ଶାସନ ସଚିବ ବିଜୟ କୁମାର ଦେବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର