ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ଲାଜ୍‌ମା ଚିକିତ୍ସା, ସ୍ବାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ: କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ଦିଲ୍ଲୀର ୫୫ ବର୍ଷିୟ ସ୍ବସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସାକେତର ମ୍ୟାକ୍ସ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଶୁକ୍ରବାର ଦିନ ତାଙ୍କୁ ପ୍ଲାଜ୍‌ମା ଚିକିତ୍ସା ଦିଆଯାଇଛି।

ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରଖାନାର ଇଣ୍ଟେନ୍‌ସିଭ୍ କେୟାର୍ ୟୁନିଟ୍‌ରରେ ଦଳେ କ୍ରିଟିକାଲ୍ କେୟାର୍ ସ୍ପେସାଲିଷ୍ଟ୍‌ ତାଙ୍କୁ ଅନୁଧ୍ୟାନ କରୁଛନ୍ତି।

ଅମ୍ଳଜାନ ଅଭାବ ଏବଂ ଖଇଫୁଟା ଜ୍ବର ହେତୁ ସୋମବାର ରାତିରେ ସତ୍ୟେନ୍ଦ୍ରଙ୍କୁ ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ତାହିରପୁର ଠାରେ ଥିବା ରାଜୀବ ଗାନ୍ଧୀ ସୁପର୍ ସ୍ପେସାଲିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Image Courtesy of OneIndia

ପ୍ରଥମ ପରୀକ୍ଷାରୁ ସେ କୋଭିଡ୍-୧୯ ସଂକ୍ରମିତ ନୁହନ୍ତି ବୋଲି ଜଣାପଡ଼ିଥିଲା। କିନ୍ତୁ, ପୁଣି ଥରେ ପରୀକ୍ଷା କରାଯିବା ପରେ କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିଲା।

ତାଙ୍କର ଅନ୍ୟାନ୍ୟ ରୋଗ ନ ଥିବା ବେଳେ ନିମୋନିଆ ଆକ୍ରାନ୍ତ ହୋଇଥିବା କଥା ଶୁକ୍ରବାର ଦିନ ଜଣାପଡ଼ିଥିଲା। ତାଙ୍କ ଫୁସ୍‌ଫୁସ୍‌ରେ ନିମୋନିଆ ଚକଡ଼ା ଥିବା କଥା ପରେ ସିଟି ସ୍କାନ୍‌ରୁ ଜଣାପଡ଼ିଥିଲା। ଶ୍ବାସପ୍ରଶ୍ବାସରେ କଷ୍ଟ ହେଉଥିବା ଏବଂ ମୁଣ୍ଡ ବୁଲାଉଥିବା କଥା ଶୁକ୍ରବାର ସକାଳୁ ସେ ଅଭିଯୋଗ କରୁଥିଲେ। ଅବିଳମ୍ବେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇ ଆଇସିୟୁରେ ଅମ୍ଳଜାନ ଦିଆଯାଇ ରଖାଯାଇଛି।

ସମ୍ବନ୍ଧିତ ଖବର