ଦିଲ୍ଲୀ ହାଇକୋର୍ଟରେ ଆପ୍‌ ବିଧାୟକ ଅଯୋଗ୍ୟ ମାମଲା: ଉପନିର୍ବାଚନ ତାରିଖ ଘୋଷଣା ଉପରେ ରୋକ୍‌

ନୂଆଦିଲ୍ଲୀ: ଲାଭଜନକ ପଦ ମାମଲାରେ ଅଯୋଗ୍ୟ ଘୋଷିତ ହୋଇଥିବା ୨୦ ଆପ୍‌ ବିଧାୟକଙ୍କୁ ନେଇ କେନ୍ଦ୍ରର ବିଜ୍ଞପ୍ତି ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଲଗାଇବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଜାନୁଆରୀ ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାରୁ ସେହି ସମୟ ପର୍ଯ୍ୟନ୍ତ ନିର୍ବାଚନ କମିସନ (ଇସି) ଉପିନର୍ବାଚନ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେନାହିଁ ତଥା ତାରିଖ ଘୋଷଣା କରିପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଲାଭଜନକ ପଦବିମାମଲାରେ ଅଯୋଗ୍ୟ ଘୋଷିତ ହୋଇଥିବା ୨୦ ବିଧାୟକ ଗତକାଲି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ଆବେଦନର ଶୁଣାଣି ସମୟରେ କୋର୍ଟ ଆପ୍‌ ବିଧାୟକଙ୍କ ଆବେଦନ ଉପରେ ଇସି ଏବଂ କେନ୍ଦ୍ରଠାରୁ ଜବାବ ଲୋଡ଼ିଛନ୍ତି। କେଉଁ ରେକର୍ଡ ଆଧାରରେ ଇସି ୨୦ ଆପ୍‌ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ଏବଂ ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ଜାନୁଆରୀ ୨୦ ତାରିଖରେ ଅନୁମୋଦନ କଲେ ସେ ସମସ୍ତ ତଥ୍ୟ ଫେବୃଆରି ୬ ତାରିଖ ସୁଦ୍ଧା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜାନୁଆରି ୨୯ ତାରିଖ ପରଠାରୁ ଏହି ମାମଲା ଉପରେ କ୍ରମାଗତ ଶୁଣାଣି ଆରମ୍ଭ ହେବ। ଅଯୋଗ୍ୟ ଘୋଷିତ ହୋଇଥିବା ୨୦ ଆପ୍‌ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଧାୟକ ସେମାନଙ୍କ ମାମଲାରେ ଦର୍ଶାଇଛନ୍ତି ଯେ ଇସି ଆବେଦନକାରୀଙ୍କ କଥା ଶୁଣିବାପାଇଁ ସୁଯୋଗ ଦେଇନାହାନ୍ତି ବରଂ ଏକତରଫା ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଅନ୍ୟ ରାଜ୍ୟରେ ଯେଉଁ ସ୍ଥିତି ରହିଛି ସେଥିପ୍ରତି ନିର୍ବାଚନ କମିସନ ସଂପୂର୍ଣ୍ଣ ଅଣଦେଖା କରିଥିବା ବେଳେ କେବଳ ଦିଲ୍ଲୀ ସରକାରଙ୍କ ମାମଲାରେ ହିଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର