ପାତଞ୍ଜଳି ଅଟାର ଅପପ୍ରଚାର କରି ସୋସିଆଲ ମିଡିଆରେ ପ୍ରଦର୍ଶିତ ହେଉଥିବା ଭିଡିଓକୁ ପ୍ରତ୍ୟାହାର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଫେସ୍‌ବୁକ୍‌, ଗୁଗୁଲ୍‌ ଏବଂ ୟୁଟ୍ୟୁବ୍‌ ପରି ସୋସିଆଲ ମିଡିଆରେ ବାବା ରାମଦେବଙ୍କ ପାତଞ୍ଜଳି ଆୟୁର୍ବେଦ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଅଟାକୁ ନିନ୍ଦିତ ଓ ଏହାର ମର୍ଯ୍ୟାଦାହାନୀ କରିବା ସହ ଅପପ୍ରଚାର କରିବା ଲକ୍ଷ୍ୟରେ ପ୍ରସାରିତ ହେଉଥିବା ଏକ ଭିଡିଓ ବ୍ଲଗ୍‌କୁ ଅବିଳମ୍ବେ ପ୍ରତ୍ୟାହାର କରିନେବା ପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବାବା ରାମଦେବଙ୍କ ପାତଞ୍ଜଳି ଆୟୁର୍ବେଦ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଅଟା ରବରରୁ ପ୍ରସ୍ତୁତ ହେଉଛି ବୋଲି ଏକ ତାମିଲ ଭିଡିଓରେ ଅପପ୍ରଚାର କରାଯାଉଥିଲା। ଏବଂ ଏହି ଭିଡିଓକୁ ଫେସ୍‌ବୁକ୍‌, ଗୁଗୁଲ୍‌ ଏବଂ ୟୁଟ୍ୟୁବ୍‌ ପରି ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯାଉଥିଲା। ଏଘଟଣା ଜଣାପଡ଼ିବା ପରେ ପାତଞ୍ଜଳି ଆୟୁର୍ବେଦ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଆଗତ ହୋଇଥିଲା। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରାଜୀବ୍‌ ଶାହି ଏଣ୍ଡଲ ଆଜି ଏହି ମାମଲାର ଶୁଣାଣି କରି ତୁରନ୍ତ ଏହି ଭିଡିଓକୁ ପ୍ରତ୍ୟାହାର କରିନେବା ପାଇଁ ଫେସ୍‌ବୁକ୍‌, ଗୁଗୁଲ୍‌ ଏବଂ ୟୁଟ୍ୟୁବ୍‌ ପରି ସୋସିଆଲ ମିଡିଆ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଭିଡିଓ ବ୍ଲଗ୍‌ର ପ୍ରସାରଣ କିଏ କେଉଁ ୟୁଆର୍‌ଏଲ୍‌ ଆଡିରୁ କରିଥିଲା ତାହାର ତଦନ୍ତ କରି କୋର୍ଟଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ମେ ୧୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର