ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭୀମା କୋରେଗାଓଁ ହିଂସା ଓ ନକ୍ସଲ ସଂଗଠନ ସହ ସଂପୃକ୍ତି ଅଭିଯୋଗରେ ମହାରାଷ୍ଟ୍ର ପୁଲିସ୍ ଦ୍ୱାରା ଗିରଫ ହୋଇ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜି ମୁକ୍ତ କରି ଦେଇଛନ୍ତି। ଏହି ମାମଲାରେ ମହାରାଷ୍ଟ୍ର ପୁଲିସ୍ ହାତରେ ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କ ମଧ୍ୟରେ ଗୌତମ ନଭଲଖା ଥିଲେ ଅନ୍ୟତମ। ଗିରଫ ହୋଇଥିବା ଏହି ୫ ଜଣ ସାମାଜିକ କର୍ମୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଗୃହବନ୍ଦୀ କରି ରଖା ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ଗତ ସପ୍ତାହରେ ସୁପ୍ରିମ୍ କୋର୍ଟ ଏହି ମାମଲାରେ ଗିରଫ ହୋଇ ଗୃହବନ୍ଦୀ ଥିବା ସାମାଜିକ କର୍ମୀମାନେ ମୁକ୍ତି ପାଇଁ ନିଜ ନିଜର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ରୁଲିଂ ଦେବାପରେ ଗୌତମ ନଭଲଖା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ରର ପୁଣେ ପୁଲିସ୍ ଗୌତମ ନଭଲଖାଙ୍କୁ ଏହି ମାମଲାରେ ଗତ ମାସରେ ନୂଆଦିଲ୍ଲୀରୁ ଗିରଫ କରିଥିଲା। ତେବେ, ଆଜି ଏହି ମାମଲାର ଶୁଣାଣି କରି ଗିରଫ ଗୌତମ ନଭଲଖାଙ୍କୁ ଗୃହବନ୍ଦୀରୁ ମୁକ୍ତ କରି ଦେଇଛନ୍ତି। ଏଥିସହ ଗୌତମ ନଭଲଖାଙ୍କୁ ଟ୍ରାନ୍ଜିଟ୍ ରମାଣ୍ଡରେ ନେବାପାଇଁ ଦିଲ୍ଲୀର ଏକ ତଳ ଅଦାଲତ ମହାରାଷ୍ଟ୍ର ପୁଲିସ୍କୁ ଦେଇଥିବା ଅନୁମତିକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି।