ମନି ଲଣ୍ଡରିଙ୍ଗ୍‌ ମାମଲାରେ ‘ଏନ୍‌ଏସ୍‌ଇ’ର ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣଙ୍କ ଜାମିନ ମଞ୍ଜୁର କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଙ୍ଗ୍‌ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର (ଏନ୍‌ଏସ୍‌ଇ) ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଏହି ଆର୍ଥିକ ଦୁର୍ନୀତି ମାମଲା ‘ଏନ୍‌ଏସ୍‌ଇ’ କର୍ମଚାରୀଙ୍କ ବେଆଇନ ଫୋନ୍‌ ଟ୍ୟାପିଙ୍ଗ୍‌ ଘଟଣା ସହିତ ଜଡ଼ିତ।

ପୂର୍ବରୁ ଏହି ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜାମିନ ମଞ୍ଜୁର ନ ଦେବା ବେଳେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି କହିଥିଲେ, ‘ଆଇସେକ୍‌’ ନାମରେ ଗୋଟାଏ ସାଇବର୍‌ ସିକ୍ୟୁରିଟି କମ୍ପାନି ବେଆଇନ ଭାବେ ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ କରି ୪.୫୪ କୋଟି ଟଙ୍କା ଉପାର୍ଜନ କରିଛି। ସମ୍ଭାବ୍ୟ ସାଇବର ଆକ୍ରମଣର ସାମୟିକ ଅଧ୍ୟୟନ କରିବା ଆଳରେ ଏହି କମ୍ପାନି ‘ଏନ୍‌ଏସ୍‌ଇ’ କର୍ମଚାରୀମାନଙ୍କୁ ଫୋନ୍‌ କଲ୍‌ ସବୁ ଟ୍ୟାପିଙ୍ଗ୍‌ କରୁଥିଲା।

Image Courtesy of India Today

ବେଆଇନ କାର୍ଯ୍ୟକଳାପଦ୍ବାରା ‘ଆଇସେକ୍‌’କୁ ଅର୍ଥପ୍ରାପ୍ତ କରାଇବାକୁ ଅନୁମତି ଦିଆଯିବା କାରଣରୁ ‘ଏନ୍‌ଏସ୍‌ଇ’ର ଆର୍ଥିକ କ୍ଷତି ହୋଇଛି ବୋଲି ସେ ବିଚାରପତି କହିଥିଲେ। ‘ଏନ୍‌ଏସ୍‌ଇ’ କର୍ମଚାରୀ ଓ ‘ଆଇସେକ୍‌’ ମଧ୍ୟରେ ରାଜିନାମା ହେବା ବେଳେ ‘ଆଇସେକ୍‌’ର ପ୍ରତିନିଧିତ୍ବ କରିଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ସଞ୍ଜୟ ପାଣ୍ଡେ।

କର୍ମଚାରୀମାନେ କ’ଣ କଥାବାର୍ତ୍ତା ହେଉଛନ୍ତି କି, ଏକ୍ସଚେଞ୍ଜ୍‌ ସମ୍ବନ୍ଧୀୟ ସୂଚନା ଲିକ୍‌ କରୁଛନ୍ତି, ଜାଣିବା ପାଇଁ ‘ଏନ୍‌ଏସ୍‌ଇ’ର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣ ଓ ରବି ନାରାୟଣ ଚାହୁଁଥିଲେ ବୋଲି ‘ସିବିଆଇ’ ସନ୍ଦେହ କରୁଛି। ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ‘ଏନ୍‌ଏସ୍‌ଇ’ର ‘ସିଇଓ’ ଭାବେ କାର୍ଯ୍ୟ କରିଥିଲେ।

ମାର୍ଚ ୨୦୨୨ରେ ‘ସିବିଆଇ’ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଥିଲା। ଅଦାଲତ ଆଗୁଆ ଜାମିନ ଦେବାକୁ ମନା କରିଦେବାରୁ ତାଙ୍କୁ ହାଜତକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର