ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଛି ବୋଲି ପ୍ରଚାର ହେବାପରେ ସୁପ୍ରିମକୋର୍ଟ  ଗତକାଲି ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ଏହି ଘଟଣା ତାଙ୍କର ପୂର୍ବ ଆର୍ଥିକ କାରବାର ଉପରୁ ପରଦା ହଟାଇଛି। ବିଶେଷକରି ବହୁ କୋଟି ଟଙ୍କାର ବ୍ୟାଙ୍କ ଠକେଇରେ ଫସିଥିବା ସିମ୍ଭାଓଲି ସୁଗାର୍ସ ଲିମିଟେଡ୍ ସହିତ ତାଙ୍କର ସମ୍ପର୍କ ଥିବା କଥା ଏବେ ଜଣାପଡ଼ିଛି। 

ମାମଲାଟି ୨୦୧୮ ମସିହା ଫେବ୍ରୁଆରି ମାସର। ସେତେବେଳେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସର ଅଭିଯୋଗ ପରେ ସିବିଆଇ ସିମ୍ଭାଓଲି ସୁଗାର୍ସର ତଦନ୍ତ ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏହି ମାମଲା ବିଷୟରେ ସୂଚନା ପାଇବା ମାତ୍ରେ ଗତକାଲି ତୁରନ୍ତ କଲେଜିୟମର ଏକ ବୈଠକ ଡାକିଥିଲେ ଏବଂ ଅଭିଯୋଗ ଆ‌ଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା। ଏହାପରେ ଜଷ୍ଟିସ ବର୍ମାଙ୍କୁ  ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ଏହି ବଦଳି କୌଣସି ଅଭିଯୋଗ ଭିତ୍ତିରେ କିମ୍ବା ବିବାଦୀୟ କାରଣ ପାଇଁ ହୋଇନାହିଁ ବୋଲି କଲେଜିୟମ ସ୍ପଷ୍ଟ କରିଥିଲେ ମଧ୍ୟ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।  ଏଭଳି ବଦଳିକୁ ଆହ୍ଲାବାଦ ହାଇକୋର୍ଟ ବାର୍‌ ଆସୋସିଏନ ବିରୋଧ କରିଛି। ବାର୍‌ ପକ୍ଷରୁ କୁହାଯାଇଛି ଯେ ଆହ୍ଲାବାଦ ହାଇକୋର୍ଟ କୌଣସି ‘ଡଷ୍ଟବିନ୍‌’ ନୁହେଁ ଏବଂ ଏଭଳି ବଦଳିକୁ ଆମେ ଗ୍ରହଣ କରିବୁ ନାହିଁ।

 ବାର୍‌ ପକ୍ଷରୁ ଏ ନେଇ ପ୍ରଧାନ ବିଚାରପତିଙ୍କ ନିକଟକୁ ପତ୍ର ଲେଖି ଜଷ୍ଟିସ ବର୍ମାଙ୍କ ବଦଳିକୁ ବିରୋଧ କରାଯିବା ସହ ଏଭଳି ନିର୍ଦ୍ଦେଶକୁ କଲେଜିୟମ ପ୍ରତ୍ୟାହାର କରୁ ବୋଲି ଦାବି କରାଯାଇଛି।  ତେବେ  ଜଷ୍ଟିସ ବର୍ମାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ମିଥ୍ୟା ଖବର ପ୍ରଚାର ହେଉଥିବାରୁ ବଦଳିକୁ ନେଇ ସୁପ୍ରିମ୍‌କୋର୍ଟ ସ୍ଥିତି ସ୍ପଷ୍ଟ କରିଛନ୍ତି ଏବଂ ଏହି ବଦଳି ଆଦେଶ କୌଣସି କାର୍ଯ୍ୟାନୁଷ୍ଠାନର ଅଂଶ ନୁହେଁ ବୋଲି  କହିଛନ୍ତି।