ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମୋବାଇଲ୍‌ ଗେମ୍‌ରୁ ପିଲାଙ୍କୁ ବଞ୍ଚାଅ

ନୂଆଦିଲ୍ଲୀ : ବିଭିନ୍ନ ପ୍ରକାର ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମୋବାଇଲ ଗେମ୍‌ରେ ଆକୃଷ୍ଟ ହୋଇ ପିଲାମାନେ ସେମାନଙ୍କ ପାଠପଢ଼ା, କ୍ୟାରିୟର୍, ସ୍ବାସ୍ଥ୍ୟ ଏପରି କି ଜୀବନ ମଧ୍ୟ ହରାଉଥିବା ଜଣାପଡ଼ିଛି। ତେଣୁ ପିଲାମାନଙ୍କୁ ଏପରି ଅନ୍‌ଲାଇନ୍ ଗେମ୍‌ ନିଶାରୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଏକ ଜାତୀୟ ନୀତି ନିର୍ଦ୍ଧାରଣ କରିବା ଲାଗି ଆଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଜଷ୍ଟିସ୍ ଡି.ଏନ୍. ପଟେଲ ଓ ଜଷ୍ଟିସ୍ ଜ୍ୟୋତି ସିଂହଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।

ଆଇନଜୀବୀ ରବିନ୍ ରାଜୁ ଓ ଦୀପା ଜୋଶେଫଙ୍କ ମାଧ୍ୟମରେ ଡିଷ୍ଟ୍ରେସ୍ ମ୍ୟାନେଜ୍‌ମେଣ୍ଟ କଲେକ୍ଟିଭ୍ (ଡିଏମ୍‌ସି) ଓ ନ୍ୟାସ ପିଟିଶନରେ ଦର୍ଶାଇଥିଲେ ଯେ, ପିଲାମାନେ ଅନ୍‌ଲାଇନ୍ ଗେମ୍‌ ପ୍ରତି ଆସକ୍ତ ହୋଇ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ଶିକାର ହୋଇଛନ୍ତି ବୋଲି ଅନେକ ଅଭିଭାବକ ସେମାନଙ୍କ ଆଗରେ ଅଭିଯୋଗ କରିଛନ୍ତି। ଏପରି କି ପିଲାମାନେ ଆତ୍ମହତ୍ୟା କରିବା, ଚୋରି ଭଳି ଅପରାଧ କରିବା ଏବଂ ଗୁରୁତର ମାନସିକ ଅବସାଦର ଶିକାର ହେବା ନେଇ ନିକଟରେ ଖବରମାନ ପ୍ରକାଶ ପାଇଛି। ୧୦ ବର୍ଷରୁ କମ୍ ବୟସ୍କ ପିଲାମାନେ ବି ଅନ୍‌ଲାଇନ୍ ଗେମ୍ ପ୍ରତି ଆସକ୍ତ ହେଉଛନ୍ତି।

ମହାମାରୀ ସମୟରେ ଅନ୍‌ଲାଇନ୍ ପାଠପଢ଼ା ନାଁରେ ପିଲାମାନଙ୍କୁ ମୋବାଇଲ ବ୍ୟବହାର କରିବାକୁ ଅନୁମତି ମିଳିଯିବା ଦ୍ବାରା ପାଠପଢ଼ା କମ୍ ଓ ଗେମ୍ ଖେଳିବା ହେଲା ବେଶି, ଯାହାକୁ ନିୟନ୍ତ୍ରଣ କରିବା ଅଭିଭାବକମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅନ୍‌ଲାଇନ୍ ଗେମ୍ ଶିଶୁ (୬ରୁ ୧୦ ବର୍ଷ) ଏବଂ କିଶୋର (୧୧ରୁ ୧୯ ବର୍ଷ)ଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଅତ୍ୟନ୍ତ କୁପ୍ରଭାବ ପକାଉଛି। ପ୍ରମୁଖ ମେଡିକାଲ ଜର୍ନାଲ ଲାନ୍‌ସେଟ୍‌ରେ ଏପରି ସବୁ ଚାଞ୍ଚଲ୍ୟକର ଗବେଷଣା ତଥ୍ୟ ପ୍ରକାଶ ପାଇଛି। ଅନ୍‌ଲାଇନ୍ ଗେମ୍‌ର କୁପ୍ରଭାବରୁ ପିଲାମାନେ କ୍ରମଶଃ ଉଗ୍ର ଓ ଆକ୍ରମଣାତ୍ମକ ହୋଇପଡ଼ୁଛନ୍ତି। ସେମାନଙ୍କ ବ୍ୟବହାରରେ ସ୍ବାଭାବିକତା ଦେଖିବାକୁ ମିଳୁନାହିଁ। ଏ ନେଇ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କୁ ଉପଯୁକ୍ତ କାଉନ୍ସେ୍ଲିଂ କରାଯିବା ଲାଗି ଉକ୍ତ ପତ୍ରିକାରେ ଗୁରୁତ୍ବ ଦିଆଯାଇଛି। ତେଣୁ ଏ ସମ୍ପର୍କରେ ଏକ ଜାତୀୟ ନୀତି ନିର୍ଦ୍ଧାରଣ ହେବା ଉଚିତ ବୋଲି ପିଟିସନରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର