ନୂଆଦିଲ୍ଲୀ :ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇରେ ଏବେ ପରିସ୍ଥିତି ଭଲ ନାହିଁ । ଏହାର ଦୁଇ ଶୀର୍ଷ ଅଧିକାରୀ ଏବେ ଏହି ଏଜେନ୍ସିର ଭରଷାଯୋଗ୍ୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ଗତକାଲି ଆଲୋକବର୍ମାଙ୍କୁ ସିବିଆଇ ପଦରୁ ହଟାଯିବା ପରେ ଆଜି ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଦାଏର ଲାଞ୍ଚ ମାମଲା ଚାଲୁ ରଖିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ବିରୋଧରେ ରୁଜ୍ଜୁ ଏଫଆଇଆରକୁ ବାତିଲ କରିବାକୁ କୋର୍ଟ ମନାକରିଦେଇଛନ୍ତି ।

Advertisment

ଗତ ବର୍ଷ ନଭେମ୍ବର ମାସରେ ସିବିଆର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ତାଙ୍କ ବିରୋଧରେ ଲାଞ୍ଚ ଗ୍ରହଣକୁ ଅଭିଯୋଗରେ ଏକ ଏଫ୍ଆଇଆର୍ ଆଗତ ହୋଇଥିଲା । ଏହାକୁ ଖାରଜ କରିଦେବା ଅନୁରୋଧ କରି ଅସ୍ଥାନା ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଆଗତ କରିଥିଲେ। ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ମାମଲାର କେସ୍ ଡାଇରି କୋର୍ଟରେ ଉପସ୍ଥାପିତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଅସ୍ଥାନାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏବଂ ତାଙ୍କ ବିରୋଧରେ ବହୁ ପ୍ରମାଣ ମିଳିଥିବା ଏବେ ତଦନ୍ତକାରୀ ଅଧିକାରୀମାନଙ୍କ ହାତରେ ପଡ଼ିଥିବା କାରଣରୁ ଏବେ ଏହି ମାମଲାର କେସ୍ ଡାଇରି କୋର୍ଟରେ ଉପସ୍ଥାପିତ କରାଯାଇ ପାରିବ ନାହିଁ ଏବଂ ଏଥିପାଇଁ ଆଉ ଅଧିକ ସମୟର ଆବଶ୍ୟକତା ରହିଛି ବୋଲି ସିବିଆଇ ଓକିଲ କୋର୍ଟଙ୍କୁ କହିଥିଲେ। ଏହା ଶୁଣିବା ପରେ କୋର୍ଟ ନଭେମ୍ବର ୨୮ ପର୍ଯନ୍ତ ଅସ୍ଥାନାଙ୍କ ଗିରଫଦାରୀ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ।