ଅତ୍ୟାବଶ୍ୟକ ସାମଗ୍ରୀ ଭଳି ପେଟ୍ରୋଲ୍‌ ଓ ଡିଜେଲ୍‌ ଦରକୁ ନିର୍ଦ୍ଦିଷ୍ଟ କରିବା ଲାଗି ନିର୍ଦ୍ଦେଶ ଜାରି କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଅନୁସାରେ ପ୍ରତିଦିନ ବଦଳୁଛି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ତୈଳ ଦର ନିର୍ଦ୍ଦିଷ୍ଟ କରିବା ଲାଗି ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଏହା କେନ୍ଦ୍ର ସରକାରଙ୍କର ଏକ ଅର୍ଥନୈତିକ ନୀତି ସଂପର୍କୀତ ନିଷ୍ପତ୍ତି, ତେଣୁ ଅଦାଲତ ଏ ନେଇ ହସ୍ତକ୍ଷେପ ନ କରି ମାମଲାଠାରୁ ଦୂରରେ ରହିବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ରାୟ ଦେଇଛନ୍ତି।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାପତି ଜଷ୍ଟିସ୍‌ ରାଜେନ୍ଦ୍ର ମେନନ୍‌ ଏବଂ ଜଷ୍ଟିସ୍‌ ଭି କେ ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତିଦିନ ବଦଳୁଥିବା ତୈଳ ଦର ବ୍ୟବସ୍ଥା ଉପରେ ରୋକ ଲଗାଇବାକୁ ହୋଇଥିବା ଏକ ଆବେଦନର ବିଚାର କରି ରାୟ ଦେଇଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତିରେ ଆମେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ। ଏହା ଏକ ବୃହତ୍ତର ଅର୍ଥନୈତିକ ପ୍ରସଙ୍ଗ ହୋଇଥିବାରୁ ଅଦାଲତ ଏଥିରୁ ନିବୃତ୍ତ ରହିବା ଆବଶ୍ୟକ। ସରକାର ଚାହିଲେ ଏହାକୁ ପରିବର୍ତ୍ତନ କରିପାରନ୍ତି, ମାତ୍ର ଅଦାଲତ ଏ ନେଇ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବେନାହିଁ।

India News

ଉଲ୍ଲେଖଯୋଗ୍ୟ କି, ପୂଜା ମହାଜନ ନାମ୍ନୀ ଜନୈକା ଡିଜାଇନର ଏକ ଜନସ୍ୱାର୍ଥ ମାମଲା ଜରିଆରେ ଦୈନନ୍ଦିନ ବଦଳୁଥିବା ତେଲ ଦର ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନ କରିଥିଲେ। ସେ ଦର୍ଶାଇଥିଲେ କି ପେଟ୍ରୋଲ୍‌ ଓ ଡିଜେଲକୁ ଅତ୍ୟାବଶ୍ୟକ ସାମଗ୍ରୀଭୁକ୍ତ କରି ଏହାର ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରାଯାଉ। ମାତ୍ର ଦିଲ୍ଲୀ ହାଇକୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧିତ ଖବର