ଦୁଷ୍କର୍ମ ପୀଡିତା ଚୁପ୍‌ ରହିବା ସହମତିର ପ୍ରମାଣ ନୁହେଁ : ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜଣେ ଅନ୍ତସତ୍ତ୍ୱା ମହିଳାଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡର ଶୁଣାଣି କରିଛନ୍ତି। ଏଥିସହିତ ପୀଡିତା ଦୁଷ୍କର୍ମ ସମୟରେ ଚୁପ୍‌ ରହିବାର ମାନେ ନୁହେଁ ଯେ ଶାରୀରିକ ସମ୍ପର୍କ ପାଇଁ ତାଙ୍କର ସହମତି ରହିଛି। ତେଣୁ ଏହାକୁ ଏକ ପ୍ରମାଣ ଭାବେ ଧରାଯିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ।

ଦୁଷ୍କର୍ମକାରୀଙ୍କ ଓକିଲ କହିଥିଲେ, ଯଦି ପୀଡିତାଙ୍କୁ ଦୁଷ୍କର୍ମ କରାଯାଉଥିଲା ସେ ଚୁପ୍‌ କାହିଁକି ଥିଲେ? ତା’ମାନେ ସେ ଶାରୀରିକ ସମ୍ପର୍କ ପାଇଁ ରାଜି ଥିଲେ। କିନ୍ତୁ ଏହି ପ୍ରମାଣକୁ ହାଇକୋର୍ଟ ଖରାଜ କରି ଦେଇଥିଲେ ବୋଲି ବିଚାରପତି ସଙ୍ଗୀତା ଦିଙ୍ଘାର ସେହଗାଲ କହିଛନ୍ତି।

ପୀଡିତା କହନ୍ତି, ୨୦୧୦ ଡିସେମ୍ବରରେ କାମ ଅନେ୍ଵଷଣ ପାଇଁ ଉତ୍ତରପ୍ରଦେଶରୁ ମୁଁ ଦିଲ୍ଲୀ ଆସିଥିଲି। ମୋର ଭେଟ ମୁନ୍ନା ନାମକ ଜଣକ ବ୍ୟକ୍ତି ଓ ତାଙ୍କ ସାଥୀ କୁମାରଙ୍କ ସହିତ ହୋଇଥିଲା। ଦୁହେଁ ମୋତେ କାମ ଦେବା ପାଇଁ ଚୁକ୍ତି କରିଥିଲେ। ଏହାପରେ ମୁଁ ମୁନ୍ନାଙ୍କ ସହିତ ହରିୟାଣାର ପାନିପଥକୁ ଆସିଥିଲି। ସେଠାରେ ମୁନ୍ନା ପାଖାପାଖି ୨ମାସ ପର୍ଯ୍ୟନ୍ତ ଗୋଟିଏ କଠୋରିରେ ବନ୍ଦ କରିବା ସହିତ ମୋ ସହିତ ଦୁଷ୍କର୍ମ କରି ଚାଲିଥିଲେ। ଯଦି ମୁଁ ସେଠାରୁ ପଳାଇ ଯିବାକୁ ଉଦ୍ୟମ କରେ ତେବେ ସେ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏତଦବ୍ୟତୀତ ମୋତେ ଦେହ ବ୍ୟବସାୟରେ ସାମିଲ ହେବାକୁ ବାଧ୍ୟ ମଧ୍ୟ କରୁଥିଲେ ମୁନ୍ନା।

ଏହାପରେ ମୁନ୍ନା ମୋତେ ନୋଏଡା କୁମାରଙ୍କ ଫ୍ଲାଟକୁ ଆଣିଥିଲା। ପରେ ଦୁହେଁ ଶାସ୍ତ୍ରୀ ପାର୍କସ୍ଥିତ ଅନ୍ୟ ଏକ ଫ୍ଲାଟରେ ଆଣି ରଖିଥିଲେ। ୨୦୧୧ ଏପ୍ରିଲରେ କୁମାର ଯେତେବେଳେ ଜାଣିଲେ ସେ ନଥିବା ସମୟରେ ମୁନ୍ନା ମୋ ସହିତ ଶାରୀରିକ ସମ୍ଭନ୍ଧ ରଖୁଛନ୍ତି, ଦୁହିଁଙ୍କ ମଧ୍ୟରେ ଏହାକୁ ନେଇ ଲଢ଼େଇ ହୋଇଥିଲା। କୁମାର ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇ ଦେଇଥିଲା।

ହାଇକୋର୍ଟ ଏହି ଘଟଣାରେ ଅପରାଧୀ ମୁନ୍ନାଙ୍କୁ ଦୋଷୀସାବ୍ୟସ୍ତ କରିବା ସହିତ ୨୦୧୫ରେ ନିମ୍ନ ଅଦାଲତ ଶୁଣାଇଥିବା ରାୟକୁ ଅତୁଟ ରଖିଥିଲେ।

ସମ୍ବନ୍ଧିତ ଖବର