ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ କି ପଦକ୍ଷେପ ଗ୍ରହଣ କରାଯାଇଛି ଜଣାଅ: ରେଳ ବିଭାଗକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ ମଧ୍ୟରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଭାରତୀୟ ରେଳ ବିଭାଗ ପକ୍ଷରୁ କି କି ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏବାବଦରେ ବିଭାଗ କି କି ପଦକ୍ଷେପ ନେବାକୁ ଯୋଜନା ରଖିଛି ସେ ସଂପର୍କରେ ସବିଶେଷ ତଥ୍ୟ ଏକ ସତ୍ୟପାଠ ଆକାରରେ ଜଣାଇବା ପାଇଁ ଆଜି (ମଙ୍ଗଳବାର) ଦିଲ୍ଲୀ ହାଇକୋର୍ଟ ଭାରତୀୟ ରେଳ ବିଭାଗ ଉପରେ ନୋଟିସ୍‌ ଜାରି କରିଛନ୍ତି।

ଭାରତୀୟ ରେଳ ଷ୍ଟେସନ ଓ ଭାରତୀୟ ରେଳରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁ ନଥିବା ଅଭିଯୋଗ କରି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା (ପିଆଇଏଲ୍‌) ଆଗତ ହୋଇଥିଲା। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଡି ଏନ୍‌ ପଟେଲ ଓ ଜଷ୍ଟିସ୍‌ ସି ହରି ଶଙ୍କରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କଲାବେଳେ ରେଳ ଷ୍ଟେସନ ଓ ରେଳ ମଧ୍ୟରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରେଳ ବିଭାଗ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଜାଣିବାକୁ ଚାହିଁଥିଲେ। ଏ ପରିସ୍ଥିତିରେ ରେଳ ବିଭାଗ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଯାତ୍ରୀମାନଙ୍କୁ କ୍ଲୋରିନ୍‌ ଦ୍ୱାରା ବିଶୋଧିତ ହୋଇଥିବା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ରେଳ ବିଭାଗ ପକ୍ଷରୁ କ୍ଲୋରିନ୍‌ ପ୍ଲାଣ୍ଟର ପ୍ରତିଷ୍ଠା କରାଯାଉଛି।

ଏହା ଶୁଣିବା ପରେ ଖଣ୍ଡପୀଠର ବିଚାରପତି ଦ୍ୱୟ ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଭାରତୀୟ ରେଳ ବିଭାଗ ପକ୍ଷରୁ କି କି ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏବାବଦରେ ବିଭାଗ କି କି ପଦକ୍ଷେପ ନେବାକୁ ଯୋଜନା ରଖିଛି ସେ ସଂପର୍କରେ ସବିଶେଷ ତଥ୍ୟ ଯଥା ଶୀଘ୍ର ଏକ ସତ୍ୟପାଠ ଆକାରରେ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର