୨୦ ଆପ୍‌ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ନିର୍ବାଚନ କମିଶନଙ୍କ ସୁପାରିସ୍‌କୁ ଅଗ୍ରାହ୍ୟ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ସଦସ୍ୟ ଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌)ର ୨୦ ଜଣ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରିବା ପାଇଁ ନିର୍ବାଚନ କମିଶନ କରିଥିବା ସୁପାରିସ୍‌କୁ ଆଜି ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ବାଚିତ ଜନ ପ୍ରତିନିଧି ଆଇନ୍‌ରେ ରହିଥିବା ‘ଅଫିସ୍‌ ଅଫ୍‌ ପ୍ରଫିଟ୍‌’ର ନିୟମକୁ ଉଲ୍ଲଂଘନ କରି ଆପ୍‌ର ଏହି ୨୦ ଜଣ ବିଧାୟକ ୨୦୧୫ରୁ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କର ପାର୍ଲିଆମେଣ୍ଟାରି ସେକ୍ରେଟାରି ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି ଏବଂ ସେଥିପାଇଁ ବେତନ ମଧ୍ୟ ନେଉଛନ୍ତି ବୋଲି ଦର୍ଶାଇ ଏହି କାରଣ ପାଇଁ ଏମାନଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ନିର୍ବାଚନ କମିଶନ ସୁପାରିସ୍‌ କରିଥିଲେ।

ଏହା ବିରୋଧରେ ବିଧାୟକମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନିର୍ବାଚିତ ବିଧାୟକମାନଙ୍କ ସଦସ୍ୟ ପଦ ରଦ୍ଦ ଆଇନ୍‌ ଦୃଷ୍ଟିରେ ଅନୁଚିତ । ତେଣୁ, ଏ ମାମଲା ସଂପର୍କରେ ଆଉ ଥରେ ପୁନର୍ବିଚାର କରିବା ପାଇଁ ମାମଲାଟିକୁ  ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ଗତ ଜାନୁଆରି ୧୯ ତାରିଖରେ ଆପ୍‌ର ଏହି ୨୦ ଜଣ ବିଧାୟକ ୨୦୧୫ରୁ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କର ପାର୍ଲିଆମେଣ୍ଟାରି ସେକ୍ରେଟାରି ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି ଏବଂ ସେଥିପାଇଁ ବେତନ ମଧ୍ୟ ନେଉଛନ୍ତି ବୋଲି ଦର୍ଶାଇ ଏହି କାରଣ ପାଇଁ ଏମାନଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ନିର୍ବାଚନ କମିଶନ ସୁପାରିସ୍‌ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବନ୍ଦ ମଧ୍ୟ ନିର୍ବାଚନ କମିଶନଙ୍କ ଏହି ସୁପାରିସ୍‌କୁ ମଞ୍ଜୁରି ପ୍ରଦାନ କରିଥିଲେ।


ତେବେ, ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଏ ରାୟ ପରେ ସତ୍ୟର ବିଜୟ ହୋଇଛି ବୋଲି କହିଛନ୍ତି ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ସମ୍ବନ୍ଧିତ ଖବର